ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗୁରୁବାରରୁ ଆରମ୍ଭ ହେବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।ଆଉ ମାତ୍ର ଦିନକ ପରେ ମାଟ୍ରିକ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜରୁରୀ କାଳୀନ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯାଇଛି। ସାଢେ ୯ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ସେଣ୍ଟରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ପୂର୍ବରୁ ୯ଟା ୧୫ ଯାଏଁ ଏଣ୍ଟ୍ରି କରିବାକୁ ଅନୁମତି ଦିଆଯାଇଥିଲା।ସେପଟେ ବୋର୍ଡ ପକ୍ଷରୁ ଚଳିତବର୍ଷ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍ରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସେହିପରି ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଏବଂ ନିରୀକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସୁବିଧା ରହିବ, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା କିଭଳି ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଞ୍ଚିବ, ସେଥିପାଇଁ କରାଯାଇଥିବା ବ୍ୟବସ୍ଥାକୁ ଅନୁପାଳନ ନିମନ୍ତେ କୁହାଯାଇଛି। ଗତ ୧୦ ତାରିଖଠାରୁ ନୋଡାଲ ସେଣ୍ଟରଗୁଡିକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ପଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ସବୁ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ନେଇ ସୂଚନା ମିଳିଛି।
