ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ତାରିକଙ୍କ ସହିତ ନୂତନ ସରକାରଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏଥିରେ ଡକ୍ଟର ଖଲିଲୁର ରହମାନ (ବୈଦେଶିକ ମନ୍ତ୍ରୀ), ସଲାହୁଦ୍ଦିନ ଅହମ୍ମଦ (ସ୍ୱରାଷ୍ଟ୍ର ମନ୍ତ୍ରୀ), ଡକ୍ଟର ଆମିର ଖସରୁ ମହମୁଦ (ଅର୍ଥ ଏବଂ ଯୋଜନା ମନ୍ତ୍ରୀ) ଏବଂ ଶାମା ଓବୈଦ (ବୈଦେଶିକ ରାଷ୍ଟ୍ରମନ୍ତ୍ରୀ) ସାମିଲ ଥିଲେ।
ଶପଥ ଗ୍ରହଣ ସମାରୋହ ପାଇଁ ବିଶ୍ୱର ବିଭିନ୍ନ ଦେଶକୁ ନିମନ୍ତ୍ରଣ କରାଯାଇଥିଲା। ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଉତ୍ସବରେ ଯୋଗଦେବା ପାଇଁ ଢାକାରେ ପହଞ୍ଚିଥିଲେ, ଯେଉଁଠାରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସୋମବାର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ । ଛାତ୍ର ଆନ୍ଦୋଳନ ଯୋଗୁଁ ଗତ ୨୦୨୪ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର ପତନ ଘଟିବା ପରେ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା । ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ ।
