ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ୬୨ଟି ଇ-ମେଲ୍ ଆଦାନପ୍ରଦାନ ହୋଇଥିଲା ବୋଲି କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଏପ୍ଷ୍ଟିନ୍ ଫାଇଲ୍କୁ ନେଇ କେନ୍ଦ୍ରମନ୍ତ୍ରୀ ପୁରୀ ମିଛ କହୁଛନ୍ତି। ସେ ସ୍ପଷ୍ଟୀକରଣ ଦେବା ସହ ନିଜକୁ ସ୍ବଚ୍ଛ ସାବ୍ୟସ୍ତ କରିବାକୁ ବିରୋଧୀ ଦଳ ଆହ୍ବାନ ଦେଇଛି।ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରବକ୍ତା ପୱନ ଖେଡ଼ା ପ୍ରଶ୍ନ କରିଥିଲେ ଯେ, ପୁରୀ କାହାକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଏପ୍ଷ୍ଟିନଙ୍କ ସହ ତାଙ୍କର କି ପ୍ରକାର ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଏପ୍ଷ୍ଟିନ୍ଙ୍କ ସହିତ ପୁରୀଙ୍କର ୧୪ ଥର ବୈଠକ ହୋଇଛି। ୨୦୧୪ ଜୁନ୍ ୫, ୬, ୮ ଓ ୯ ତାରିଖ, ସେପ୍ଟେମ୍ବର ୧୯, ୨୩ ଓ ୨୪ ରେ ଓ ଅକ୍ଟୋବର ୯ ଓ ୧୦ ତାରିଖରେ ଏପ୍ଷ୍ଟିନଙ୍କୁ ଭେଟି ପୁରୀ କ’ଣ ଆଲୋଚନା କରିଥିଲେ ବୋଲି ଖେଡା ପ୍ରଶ୍ନ କରିଥିଲେ। ୨୦୧୭ ପର୍ଯ୍ୟନ୍ତ ଏହା ଚାଲିଥିଲା। ପୁରୀ ଏହି ସମୟ ମଧ୍ୟରେ ଏପ୍ଷ୍ଟିନ୍କୁ ୩୨ଟି ଇମେଲ ପଠାଇଥିବାବେଳେ ଏପ୍ଷ୍ଟିନ୍ ତାଙ୍କୁ ୩୦ଟି ଇମେଲ ପଠାଇଥିଲେ। ପୁରୀ ନିଜ ସାକ୍ଷାତକାରରେ ଅନେକ ମିଛ କଥା କହିଥିବା ଖେଡ଼ା କହିଥିଲେ । ସୂଚନାମୁତାବକ ଆମେରିକା ନ୍ୟାୟ ବିଭାଗ କିଛିଦିନ ପୂର୍ବରୁ ଯୌନ ଅପରାଧୀ ଏପ୍ଷ୍ଟିନ୍ଙ୍କ ତଦନ୍ତ ସମ୍ପର୍କିତ ଫାଇଲ୍ ପ୍ରକାଶ କରିଥିଲା। ଏପ୍ଷ୍ଟିନ୍ ଓ ତାଙ୍କ ସହଯୋଗୀ ଘିସ୍ଲେଇନ୍ ମାକ୍ସଓ୍ବେଲ୍ଙ୍କ ଦ୍ୱାରା ହୋଇଥିବା ୨ଟି ଅପରାଧ ତଦନ୍ତ ସମ୍ପର୍କିତ ଅନେକ ହଜାର ପୃଷ୍ଠାର ଦସ୍ତାବିଜ୍ ଉକ୍ତ ଫାଇଲ୍ରେ ରହିଛି। ସେଥିରେ ଭ୍ରମଣ ଲିପି, ରେକର୍ଡିଂ, ଇମେଲ୍ ଆଦି ରହିଛି। ୨୦୧୯ରେ ହାଜତରେ ଏପ୍ଷ୍ଟିନ୍ଙ୍କ ମୃତ୍ୟ ଘଟିବା ଠାରୁ ଉକ୍ତ ଦସ୍ତାବିଜ୍ଗୁଡ଼ିକୁ ସଂରକ୍ଷିତ ରଖାଯାଇଥିଲା।ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍ରେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଅଂଶଗ୍ରହଣକୁ ନେଇ ଖେରା କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ସମିଟ୍ରେ ବିଲ୍ ଗେଟ୍ସ ଯୋଗଦେବେ ନାହିଁ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ ବିଲ୍ ଗେଟ୍ସ ସମିଟ୍କୁ ଆସି ଭାଷଣ ଦେବେ ବୋଲି ନିଜେ କହିଛନ୍ତି। ଯଦିଓ ଏପ୍ଷ୍ଟିନ୍ଙ୍କ କବ୍ଜାରେ ଥିବା ଯୁବତୀଙ୍କ ମଧ୍ୟରୁ କାହା ସହ ବିଲ୍ ଗେଟ୍ସ ଖରାପ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ନାହିଁ, ତେବେ ସେ ଯୌନ ସଂକ୍ରାମକ ରୋଗରେ ପୀଡ଼ିତ ଥିଲେ ବୋଲି ଏପ୍ଷ୍ଟିନ ଅଭିଯୋଗ କରିଥିବା ଫାଇଲ୍ରେ ଉଲ୍ଲେଖ ରହିଛି।
