
ନୟାଗଡ଼,(ଓଡ଼ିଶା ଦର୍ପଣ): ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ତଥା ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ପ୍ରବେଶ ପଥରେ ଲାଗିଲା ବିଦ୍ୟାଳୟ ନାମ ଫଳକ। ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟର ନବ ନିର୍ମିତ ମୁଖ୍ୟ ଫାଟକରେ ଥିବା ନାମ ଫଳକ ସ୍ଥାନ ଖାଲି ପଡିଥିଲା। ସୂଚନା ଯୋଗ୍ୟ ଯେ,ନୟାଗଡ଼ ଜିଲ୍ଲା ସଦର ମହକୁମାର ଏନଏସି ଉଚ୍ଚ ବିଦ୍ୟାଳୟ ଏକ ପ୍ରମୁଖ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅଟେ। ଏଠାରୁ ଉତ୍ତୀର୍ଣ୍ଣ ହୋଇ ଥିବା ଅଧିକାଂଶ ଛାତ୍ରଛାତ୍ରୀ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠା ଲାଭ କରି ବିଦ୍ୟାଳୟର ମାନ ବଢ଼ାଇଛନ୍ତି । ତେବେ ଗତ ସରକାର ସମୟରେ ଏହି ବିଦ୍ୟାଳୟଟି ୫-ଟି ମାନ୍ୟତା ପାଇଥିବା ବେଳେ ଏହାର ମୁଖ୍ୟ ପ୍ରଵେଶ ପଥକୁ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ଭାବେ ନିର୍ମାଣ କରାଯାଇ ଥିଲା। ନବନିର୍ମିତ ମୁଖ୍ୟ ପ୍ରଵେଶ ପଥରେ ଲଗା ଯାଇଥିବା ନିୟନ ଲାଇଟରେ ନିର୍ମିତ ନାମ ଫଳକଟି ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଲାଗିବାର ମାତ୍ର କିଛି ଦିନ ମଧ୍ୟରେ ଏହା ଖସି ପଡି ଭାଙ୍ଗି ଯାଇଥିଲା। ତେବେ ଏହାକୁ ମରାମତି କରି ପୁନଃ ସ୍ଥାପନ କରିବା ପାଇଁ ବ୍ଲକ ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଫଳରେ ବିନା ନାମ ଫଳକରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ଚାଲିଥିବା ବେଳେ ବିଦ୍ୟାଳୟ ତଥା ବ୍ଲକ ପ୍ରଶାସନର ଉଦାସୀନତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରି କି ୫୭ନଂ ଜାତୀୟ ରାଜପଥ ପାର୍ଶ୍ଵ ତଥା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ବିଭିନ୍ନ ପ୍ରବେଶିକା ପରୀକ୍ଷା, ପ୍ରତିଯୋଗିତା ମୂଳକ ପରୀକ୍ଷା,ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ତଥା ଶିକ୍ଷା ବିଭାଗର ବିଭିନ୍ନ କର୍ମଶାଳା ମାନ ଆୟୋଜିତ ହେଉଥିବା ବେଳେ ନାମ ଫଳକ ନଥିବାରୁ ବାହାରୁ ଆସୁଥିବା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଖୋଜି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଇତି ମଧ୍ୟରେ ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲାପାଳ ମଧୁମିତା ରଥଙ୍କ ନଜରକୁ ଏହି ଘଟଣା ଆସିବା ପରେ ତୁରନ୍ତ ନାମ ଫଳକ ଲଗାଇବା ପାଇଁ ବ୍ଲକ ପ୍ରଶାସନକୁ ତାଗିଦ କରିଥିଲେ। ଗଣମାଧ୍ୟମରେ ଖବର ପ୍ରକାଶନ ଏବଂ ଜିଲ୍ଲାପାଳଙ୍କ ତାଗିଦ ପରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଲିଖିତ ଦୁଇଟି ନାମ ଫଳକ ବ୍ଲକ ପ୍ରଶାସନ ପକ୍ଷରୁ ଏବେ ମୁଖ୍ୟ ପ୍ରବେଶ ପଥରେ ଲଗାଯାଇ ଥିବାରୁ ସାଧାରଣରେ ଜିଲ୍ଲାପାଳଙ୍କୁ ପ୍ରଶଂସା କରାଯାଇଛି।
