ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଆରମ୍ଭ, ପରୀକ୍ଷା ଦେଲେ ୧୨୫୯୩, ଅନୁପସ୍ଥିତ ୨୨୪

ନୟାଗଡ଼,(ଓଡ଼ିଶା ଦର୍ପଣ): ସମଗ୍ର ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ଆୟୋଜିତ ଏହି ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକ, ୫ଟି ପୌରାଞ୍ଚଳ ଅନ୍ତର୍ଗତ ୭୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୨୫୯୩ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ୨୨୪ ଜଣ ଅନୁପସ୍ଥିତ ରହିଛନ୍ତି। ସେହିପରି ଓଡ଼ିଶା ମୁକ୍ତ ବିଦ୍ୟାଳୟରେ ପଢ଼ୁଥିବା ୩୯୩ ଜଣ ଶିକ୍ଷାର୍ଥୀ ଙ୍କ ମଧ୍ୟରୁ ୩୪୩ ଜଣ ଜିଲ୍ଲାର ଏକ ମାତ୍ର ନୟାଗଡ଼ ଏନଏସି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଳେ ୫୦ ଜଣ ଅନୁପସ୍ଥିତ ଅଛନ୍ତି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷା ପରିଚାଳନା ଏବଂ ପ୍ରଶ୍ନପତ୍ର ବଣ୍ଟନ ପାଇଁ ମୋଟ ୬ଟି ନୋଡାଲ ସେଣ୍ଟର ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ୭୮ଟି ପରୀକ୍ଷା କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଉଛନ୍ତି। ଆଜି ଅନୁଷ୍ଠିତ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ୨ଟି ଫ୍ଲାଇଙ୍ଗ ସ୍କ୍ବାଡ ଗଠିତ ହୋଇଥିବା ବେଳେ ଏମାନେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ବୁଲି ପରୀକ୍ଷା ତଦାରଖ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ନେତୃତ୍ୱରେ ଗଠିତ ଫ୍ଲାଇଙ୍ଗ ସ୍କ୍ବାଡରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ସାହୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱ ରେ ଗଠିତ ଫ୍ଲାଇଙ୍ଗ ସ୍କ୍ବାଡରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବନଳତା ବେହେରା ଏବଂ ସନ୍ଧ୍ୟାରାଣୀ ରାଉତ ସାମିଲ ହୋଇ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲିଥିଲେ। ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୌଣସି ପ୍ରକାରର ଅନିୟମିତତା ରୋକିବା ପାଇଁ ବୋର୍ଡ଼ ପକ୍ଷରୁ କଡାକଡି ନିର୍ଦ୍ଦେଶନାମା ଜାରି କରାଯାଇ ଥିବା ବେଳେ ପ୍ରତ୍ୟେକ ବିଦ୍ୟାଳୟରେ ଏଆଇ ସିସି କ୍ୟାମେରା ଲଗାଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରରେ ଡିଉଟି କରୁଥିବା ଶିକ୍ଷକ, ପୋଲିସ କର୍ମଚାରୀ ମାନଙ୍କୁ କେନ୍ଦ୍ର ପରିସରକୁ ମୋବାଇଲ ଆଣିବା ସମ୍ପୂର୍ଣ୍ଣ ବାରଣ କରା ଯାଇଥିବା ବେଳେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଙ୍କୁ ମଧ୍ୟ ମୋବାଇଲ ବ୍ୟବହାରରେ କଟକଣା ଜାରି କରା ଯାଇଛି। ଅନ୍ୟ ପକ୍ଷରେ ସକାଳ ୯ଟା ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ପରୀକ୍ଷାର୍ଥି ମାନଙ୍କୁ ସାଢ଼େ ୭ଟା ରେ କେନ୍ଦ୍ର ମଧ୍ୟକୁ ପ୍ରବେଶ ଅନୁମତି ରହିଛି। ତେବେ କୌଣସି ପରୀକ୍ଷାର୍ଥି ବିଳମ୍ବରେ ଆସିଲେ ଅର୍ଥାତ ସାଢ଼େ ୯ଟା ମଧ୍ୟରେ ଆସିଲେ ସୁଦ୍ଧା ତାଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ରହିଛି। ଆଜି ଅନୁଷ୍ଠିତ ଏହି ପରୀକ୍ଷାରେ ବାହ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇ ଥିଲା।

ଅଧିକ ପଢନ୍ତୁ