ଏଣିକି ତୃତୀୟ ଲିଙ୍ଗ ବା କିନ୍ନର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍ଇ) ଦେଇପାରିବେ । ଏ ସଂକ୍ରାନ୍ତରେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିବା ଅନିର୍ବାର୍ଯ୍ୟ। ଏହି ନିଷ୍ପତ୍ତି ପଛରେ ଓଡ଼ିଶା ମାନବାଧିକାର କମିଶନ OHRCଙ୍କ ନିର୍ଦ୍ଦେଶ ରହିଛି। ଆସନ୍ତା ୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବାବେଳେ ଏହାକୁ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ମାର୍ଚ୍ଚ ୭ ତାରିଖ ଆବେଦନ କରିବାର ଶେଷ ସମୟ ରଖାଯାଇଛି । ସମ୍ପୃକ୍ତ ବର୍ଗର ପ୍ରାର୍ଥୀଙ୍କୁ ସେମାନଙ୍କ ପରିଚୟପତ୍ର ତଥା କାର୍ଡ ଆବେଦନ ସମୟରେ ଅପଲୋଡ୍ କରିବାକୁ କୁହାଯାଇଛି । ଓପିଏସସି୍ ପକ୍ଷରୁ ଗ୍ରୁପ ଏ’ ଏବଂ ଗ୍ରୁପ ବି’ ର ୪୬୫ ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତ ଜାନୁଆରୀ ୨୦ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ଆଦି ବର୍ଗରେ ପଦ ସଂରକ୍ଷିତ ରଖାଯାଇଛି । କିନ୍ତୁ ତୃତୀୟ ଲିଙ୍ଗଙ୍କୁ ଏହି ପଦରେ ପରୀକ୍ଷା ଦେବାକୁ ସୁଯୋଗ ମିଳିନଥିଲା ।“ରାଜ୍ୟର ସମସ୍ତ ସରକାରୀ ବିଭାଗ ଓ ନିଗମଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ମଧ୍ୟ କୁହାଯାଇଛି। ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶାବଳୀର ଅନୁପାଳନ ରିପୋର୍ଟ ୬୦ ଦିନ ମଧ୍ୟରେ ଦାଖଲ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି।
