ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ମୁଖ୍ୟମନ୍ତ୍ରୀ ରାଜ୍ୟ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦେଇଛନ୍ତି ।ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂତନ ଅନୁଷ୍ଠାନଗୁଡିକ ଏନଇପି – ୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୌଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ । ତେବେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ ବିଦେଶରେ ସ୍ନାତକୋତ୍ତର ଏବଂ ଡକ୍ଟରାଲ ଅଧ୍ୟୟନ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ସହିତ ୫୦ ଜଣ ଅନୁସୂଚିତ ଜାତି/ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ପ୍ରଦାନ କରାଯିବ । ଏହା ବ୍ୟତୀତ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଅଧୀନରେ +୨ ପାସ୍ କରିଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ କିଣିବା ପାଇଁ ବାର୍ଷିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
