ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ବଜେଟ୍‌ରେ ୨୩,୧୮୨ କୋଟି ଟଙ୍କା ବ୍ୟବବରାଦ

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବା ବେଳେ ବଜେଟରେ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ସରକାର ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହା ମୋଟ ବଜେଟର ୭. ୫ ପ୍ରତିଶତ । ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ପାଇଁ ୪ ହଜାର ୨୭୯ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ତିନିଟି ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ନୟାଗଡ଼ ଓ ନୂଆପଡ଼ାରେ ପ୍ରତିଷ୍ଠା ହେବ ହୋମିଓପାଥୀ ମେଡିକାଲ କଲେଜ। ସମସ୍ତ ମେଡିକାଲରେ ରକ୍ତଭଣ୍ଡାର ପ୍ରତିଷ୍ଠା ଓ ରକ୍ତଭଣ୍ଡାର ଆଧୁନିକୀ କରଣ ପାଇଁ ଆରମ୍ଭ ହେବ ଅଟଳ ରକ୍ତଦାନ ଅଭିଯାନ । ଏହାସହ ୨ ବର୍ଷରେ ରାଜ୍ୟରେ ୫ଶହ ପିଜି ସିଟ୍ ବୃଦ୍ଧି କରାଯିବ ।ଓଡ଼ିଶା କର୍କଟ ଚିକିତ୍ସା ଯୋଜନାକୁ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନରେ ରୂପାନ୍ତରିତ କରାଯିବ । ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ହଜାର IPD ଶଯ୍ୟା ଯୋଡ଼ାଯିବ । ଏସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି ଏବଂ ଏମକେସିଜି ଓ ବୁର୍ଲା ପାଇଁ ୬ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।ସେହିପରି ବଜେଟରେ ଜାତୀୟ ସ୍ବାସ୍ଥ୍ୟ ମିଶନ NHM ପାଇଁ ୧୯୫୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ନିରାମୟ ପାଇଁ ୭୮୬ କୋଟି ଏବଂ ନିଦାନ ପାଇଁ ୩୭୧ କୋଟି ଟଙ୍କା ବ୍ୟବବରାଦ କରାଯାଇଛି।

ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ସହାୟ ଯୋଜନା ପାଇଁ ୧୮୩ କୋଟି ଟଙ୍କା ବ୍ୟବବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୫୦୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅଧିକ ପଢନ୍ତୁ