ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା । ୧୧ ବର୍ଷ ପରେ ଆଜି ହେବ ହାଣ୍ଡିଭଙ୍ଗା ଯାତ। ଆଜି ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର। ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା।ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତ ମଧ୍ୟରେ ଥିଲା ବିବାଦ । ଯାହାଫଳରେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇପାରୁନଥିଲା ।ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିଛନ୍ତି । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ। କିନ୍ତୁ ବରାଦି ଭୋଗ ପ୍ରସ୍ତୁତି ଏବଂ ସେଇ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଭେଟ ଆଳତୀ ନୀତି ମଲିଆ ସେବାୟତଙ୍କ ଦ୍ୱାରା କରାଯିବ । ଅନ୍ତରୀଣ ସେବା ସ୍ୱତ୍ତ୍ୱକୁ ମାନିବେ ଖୁଣ୍ଟିଆ ଓ ମଲିଆ ସେବାୟତ।
ଶିବରାତ୍ରି ବାସି ପ୍ରଥମ ଶନିବାର ହାଣ୍ଡି ଭଙ୍ଗା ଯାତ୍ରା ହେବାର ପରମ୍ପରା ରହିଛି। ହେଲେ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ବିବାଦ ଯୋଗୁଁ ଏହା ଦୀର୍ଘ ୧୧ ବର୍ଷ ହେବ ବନ୍ଦ ରହିଥିଲା । ଏହି ଯାତ୍ରା ବନ୍ଦ ହେବା ଯୋଗୁଁ ଲିଙ୍ଗରାଜଙ୍କ କୌଣସି ଯାତ୍ରାରେ କପିଳେଶ୍ୱରଙ୍କୁ ମଲିହା ସେବାୟତ ସାମିଲ କରୁନଥିଲେ। ରାଜ୍ୟ ସରକାରଙ୍କ ହସ୍ତକ୍ଷେପରେ ଏହି ବିବାଦର ସମାଧାନ ହୋଇଛି।
