ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଶିକ୍ଷକଙ୍କ ସଂପୃକ୍ତି ଅଭିଯୋଗ

କେନ୍ଦ୍ରାପଡ଼ାରେ ଲଜ୍ଜା। ପୁଣି ଗୁରୁ ନାଁରେ କଳଙ୍କ ! ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୋଇ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ତାଙ୍କ ବିଦ୍ୟାଳୟର ୪ଜଣ ଶିକ୍ଷକ ବିଗତ କିଛି ଦିନ ଧରି ପାଳି କରି ଦୁଷ୍କର୍ମ କରିଥିବା ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଉଠିଛି । ଖେଳ ଛୁଟି ସମୟରେ ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା କୁହାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି ।ଏପରିକି ୪ ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ।ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ମାଙ୍କ ଆଗରେ ସବୁ କଥା କହିଲା ପରେ ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଛି । । ଅଭିଯୋଗ ପରେ ଏକ ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଂଚିବା ପରେ ତାଙ୍କ ବୟାନ ରେକର୍ଡ କରିଛନ୍ତି । ତେବେ ଅଭିଯୋଗ ଲୋକଲୋଚନକୁ ଆସିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି ।

ଅଧିକ ପଢନ୍ତୁ