ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିକୁ ଆସୁଛି କେଜି କେଜି ସୁନା । ଭକ୍ତମାନେ ସ୍ବହସ୍ତରେ ଦାନ କରୁଛନ୍ତି ସୁନା ରୁପା । ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତବର୍ଷ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ମିଳିଛି । ମନ୍ତ୍ରୀ କହିଛନ୍ତି ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି। ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି। ୧୯୮୧ ମସିହାରୁ ୨୦୨୪-୨୫ ମସିହା ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ସଂଗ୍ରହ କରାଯାଇଛି। ଏବଂ ରୁପା ଦାନ ହୁଣ୍ଡିରୁ ୧୫୮ କେଜି ୮୩୬ ଗ୍ରାମ ରୁପା ସଂଗ୍ରହ ହୋଇଛି। ୨୦୧୧ରୁ ୨୦୨୪-୨୫ ମସିହା ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ସଂଗ୍ରହ ହୋଇଛି।ହୁଣ୍ଡିରୁ ଆଦାୟ ଅର୍ଥର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଜନାରେ ସଂଗୃହିତ ୫ ଶହ ଟଙ୍କାରୁ ଅଧିକ ପରିମାଣର ଦାନ ରାଶି ଶ୍ରୀଜଗନ୍ନାଥ ମନ୍ଦିର ଫାଉଣ୍ଡେସନ ଫଣ୍ଡ ଯୋଜନାରେ ଦୀର୍ଘ ମିଆଦି ସ୍ଥାୟୀ ଜମାରେ ରଖାଯାଉଛି। ସେହିପରି ହୁଣ୍ଡିରୁ ଆଦାୟ ଅର୍ଥର ୧୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଦନାରେ ସଂଗୃହିତ ୫ ଶହ ଟଙ୍କା ପର୍ଯ୍ୟନ୍ତ ଦାନ ରାଶିମାନ ଶ୍ରୀଜଗନ୍ନାଥ ମନ୍ଦିର ଫଣ୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମନ୍ଦିରର ଦୈନନ୍ଦିନର ଖର୍ଚ୍ଚରେ ବ୍ୟବହାର ହେଉଛି ।
