ଓଡ଼ିଶାରେ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ SIR

ରାଜ୍ୟରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ଜାରି ରହିଛି ମ୍ୟାପିଂ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳନ ସୂଚନା ଦେଇଛନ୍ତି । ୧୯ ଫେବ୍ରୁଆରୀ ୨୦୨୬ରେ ଜାରି ହୋଇଥିବା ଏକ ସରକାରୀ ଚିଠି ଅନୁଯାୟୀ, SIRର ପରବର୍ତ୍ତୀ ପର୍ଯ୍ୟାୟ ଏପ୍ରିଲ ମାସରୁ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହେବ । ଏହି ସ୍ୱତନ୍ତ୍ର ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି, ନୂତନ ଭୋଟରଙ୍କ ପଞ୍ଜିକରଣ । ବିଶେଷ କରି ଯୋଗ୍ୟ ନୂଆ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ।ସେହିପରି ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା । ମୃତ ବା ସ୍ଥାନାନ୍ତରିତ ହୋଇଥିବା ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ହଟାଯିବ । ଭୋଟର କାର୍ଡରେ ଥିବା ଯେକୌଣସି ଭୁଲ୍ ତଥ୍ୟକୁ ମଧ୍ୟ ସଠିକ୍ କରାଯିବ । ଜୁନ୍ ୨୦୨୫ରୁ ଏହି ପ୍ରକ୍ରିୟା ପାଇଁ ଯୋଜନା ଚାଲିଥିବା ବେଳେ ଏବେ କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ।ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଅଛି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ, ଦାଦ୍ରା ଓ ନଗର ହାବେଳି-ଡାମନ ଓ ଡିଉ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ଓଡ଼ିଶା, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲଙ୍ଗାନା ଓ ଉତ୍ତରାଖଣ୍ଡ। ଗତବର୍ଷ ଜୁନ ୨୪ରେ ନିର୍ବାଚନ କମିଶନ ସମଗ୍ର ଦେଶରେ ଏସ୍ଆଇଆର କରିବାକୁ କହିଥିଲେ । ତେବେ ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା କରାଯିବ ବୋଲି ସୂଚନା ମଧ୍ୟ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୭ ସହ ଏସବୁ ରାଜ୍ୟରେ ଏସ୍ଆଇଆର ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ଜନଗଣନାରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୃହ ତାଲିକା ପ୍ରସ୍ତୁତ ଓ ଘର ଗଣନା କାର୍ଯ୍ୟ କରାଯିବ । ତେବେ ଉଭୟ ପ୍ରକ୍ରିୟା ଏକସମୟରେ ଚାଲିଲେ ମଧ୍ୟ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କମିଶନ ଆଶା ରଖିଛନ୍ତି ।

ଅଧିକ ପଢନ୍ତୁ