ହସ୍ପିଟାଲରେ ରକ୍ତ ଭଣ୍ଡାର ଖାଲି । କଲବଲ ହେଉଛନ୍ତି ରୋଗୀ ଓ ପରିଜନ

ଓଡ଼ିଶାରେ ବର୍ଷକୁ ୬ଲକ୍ଷ ୟୁନିଟ୍ ରକ୍ତ ଆବଶ୍ୟକ । ହେଲେ ସଂଗ୍ରହ ହେଉଛି ସାଢେ ୫ଲକ୍ଷ ୟୁନିଟ୍ । ଆହୁରି ଦରକାର ୫୦ହଜାର ୟୁନିଟ୍ । କିନ୍ତୁ ସଂଗ୍ରହ ହୋଇପାରୁନି। କଲବଲ ହେଉଛନ୍ତି ରୋଗୀ ଓ ପରିଜନ । ସୁପର ସ୍ପେସିଆଲ ଚିକିତ୍ସା, ହେପାଟୋଲୋଜି ଚିକିତ୍ସା, ନ୍ୟୁରୋ ଟ୍ରାନ୍ସପ୍ଲାଣ୍ଟ, କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ, ଓପନ ହାର୍ଟ ସର୍ଜରୀ ଚିକିତ୍ସା ବ୍ୟାପକ ହେଉଛି । ମାତ୍ର ଅଧିକାଂଶ ସମୟରେ ରୋଗୀଙ୍କୁ ରକ୍ତ ମିଳିବାରେ ସମସ୍ୟା ଦେଖାଦେଉଛି । ଥାଲାସେମିଆ, ସିକିଲସେଲ ଏବଂ ଆନିମିଆରେ ଆକ୍ରାନ୍ତ ରୋଗୀମାନେ ରକ୍ତ ଅଭାବର ଶିକାର ହୁଅନ୍ତି । ଏହି ବର୍ଗର ରୋଗୀମାନେ ରକ୍ତ ନେବାର ୧ ମାସ ପରେ ପୁନର୍ବାର ରକ୍ତ ଆବଶ୍ୟକ କରିଥାନ୍ତି । ହେଲେ ସେମାନେ ବି ହଇରାଣ ହୋଇଥିବାର ଅଭିଯୋଗ ଆସୁଛି ।ସୂଚନା ଅନୁସାରେ, ଏବେ ରାଜ୍ୟରେ ୮୮ଟି ରକ୍ତଭଣ୍ଡାର ଓ ୩୩ଟି ରକ୍ତ ପୃଥକୀକରଣ କେନ୍ଦ୍ର ରହଛି । ସେଥିମଧ୍ୟରେ ସରକାରୀ ରକ୍ତ ଭଣ୍ଡାର ୫୭, ବେସରକାରୀ ରକ୍ତ ଭଣ୍ଡାର ୨୧ଟି ରହିଛି । ସେହିପରି ଭାବରେ ରେଡକ୍ରସର ୨ଟି ରକ୍ତଭଣ୍ଡାର ରହିଥିବାବେଳେ ପିଏସ୍ୟୁରେ ୮ଟି ରକ୍ତ ଭଣ୍ଡାର ରହିଛି । ଗତ ୩ବର୍ଷ ମଧ୍ୟରେ ରାଜ୍ୟରେ ରକ୍ତ ସଂଗ୍ରହ ପରିମାଣ ପ୍ରାୟ ସମାନ ରହିଛି । ୨୦୨୩ରେ ୫ ଲକ୍ଷ ୩୯ହଜାର ୩୮୮ ୟୁନିଟ, ୨୦୨୪ରେ ୫ଲକ୍ଷ ୬୧ ହଜାର ୩୬୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ୨୦୨୫ରେ ୫ ଲକ୍ଷ ୭୭ ହଜାର ୫୮୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରାଜ୍ୟରେ ରକ୍ତ ସଂଗ୍ରହ ପରିମାଣ ବଢୁନି ।ଆଗକୁ ଖରାଦିନ ଆସୁଛି । ବିଶେଷକରି ଏପ୍ରିଲ୍, ମେ ଓ ଜୁନ୍ ମାସରେ ଅଧିକ ଖରା ହେବା ସହ ରକ୍ତ ଅଭାବ ଦେଖାଦେବ । ଖରାଦିନେ ରକ୍ତ ସଂଗ୍ରହ ନହେବାର କାରଣ ଅନେକ ରହିଛି । ଏହିଦିନରେ ରକ୍ତଦାତା ରକ୍ତ ଦେବାକୁ ଆଗ୍ରହ ଦେଖାନ୍ତିନି । ଗରମ ଯୋଗୁ ଶିବିର ହୁଏନି, କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି ହୁଏ । ତେଣୁ ରକ୍ତ ଅଭାବ ଦେଖାଦିଏ । ହେଲେ ଏଭଳି ସମୟରେ କିଭଳି ରକ୍ତ ଅଭାବ ଦୂର ହେବ ସେଥିପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ରୋଗୀ ମହଲରେ ଅଭିଯୋଗ ହେଉଛି।

ଅଧିକ ପଢନ୍ତୁ