ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କଲା ସ୍ବାମୀ

ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ ବାହାର ବି କରିଦେଇଥିଲେ। ଏହା ପରେ କିଛି ନଗ୍ନ ଫଟୋକୁ ଏଡିଟ୍‌ କରି ସ୍ବାମୀ ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ଏତଲା ପରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଇଟି ଆକ୍ଟରେ ମାମଲା ରୁଜୁ କରି ତନାଘନା ଚଳାଇଛି ପୋଲିସ । ପୀଡ଼ିତା କହିଛନ୍ତି, “ଫେକ୍ ଆଇଡି ଖୋଲି ଅଶ୍ଲୀଳ ଫଟୋ ଭାଇରାଲ୍ କରୁଛନ୍ତି ସ୍ଵାମୀ । ଆମେ ୨୦୨୪ ଏପ୍ରିଲ୍ ମାସରେ ବାହା ହୋଇଥିଲୁ । ସେତେବେଳେ କହିଥିଲେ ମୋର ଯୌତୁକ ଦରକାର ନାହିଁ ।”ବାହାଘରର କିଛିଦିନ ପରେ ମାଡ଼ ମାରିବା ସହ ଯୌତୁକ ମାଗିଥିଲେ । ମାଡ଼ ମାରି ଘରୁ ତଡ଼ି ଦେଇଥିଲେ ଶାଶୁଘର ଲୋକ । ଏନେଇ ସେତେବେଳେ ପୋଲିସର ଦ୍ଵାରସ୍ଥ ହୋଇଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ବିବାଦ ତୁଟିବା ପରେ ଶାଶୁ ଘରକୁ ଫେରିଥିଲେ । ହେଲେ ଯୌତୁକ ନିର୍ଯାତନା କମିନଥିଲା । ନିର୍ଯାତନା ସହି ନପାରି ପୀଡ଼ିତା ରୋଜଗାର କରିବାକୁ ଭୁବନେଶ୍ଵର ପଳାଇ ଆସିଥିଲେ ।

ତଥାପି ସ୍ଵାମୀ ପିଛା ଛାଡ଼ି ନଥିଲେ । ଗାଁର ଜଣେ ଝିଅଙ୍କୁ ଭଲ ପାଇବା ସହ ଭୁବନେଶ୍ଵର ଆଣି ବୁଲାଉଥିଲେ । ସବୁ ସତ ଜାଣିବା ପରେ ପୀଡ଼ିତା ସ୍ଵାମୀଙ୍କ ନମ୍ବର ବ୍ଲକ୍ କରି ଦେଇଥିଲେ । ଯାହା ପରେ ସ୍ଵାମୀ ସୋସିଆଲ୍ ମିଡିଆରେ ଫେକ୍ ଆଇଡି ଖୋଲି ଫଟୋକୁ ଏଡିଟ୍ କରି ଅଶ୍ଳୀଳ ଭାବେ ଭାଇରାଲ୍ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ