ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ । ଉନ୍ନତ ମାନର ଚିକିତ୍ସା ସୁବିଧା ଦ୍ଵାରା ଲୋକଙ୍କ ଆସ୍ଥାଭାଜନ ହୋଇଥିବା ଏମ୍ସ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ ।ଏହି ନୂତନ ବ୍ୟବସ୍ଥାଗୁଡ଼ିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବ ଏବଂ ଗୁଣବତ୍ତା ବୃଦ୍ଧି କରିବ। ଯାହା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବ। ପୂର୍ବରୁ ସଫଳତାର ସହିତ ବୃକକ୍ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ କରିଆସୁଥିବା ବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମର ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ନୂତନ ଅଧ୍ୟାୟ । ରାଜ୍ୟର ପ୍ରଥମ ସରକାରୀ ମେଡିକାଲ ଭାବେ ଭୁବନେଶ୍ଵର ଏମ୍ସରେ ରୋବୋଟିକ ସର୍ଜରୀ ହୋଇପାରିବ । ପୂର୍ବ ଭାରତରେ ଏଭଳି ଚିକିତ୍ସା ସୁବିଧା କୌଣସି ରାଜ୍ୟରେ ଉପଲବ୍ଧ ନାହିଁ । ଏହି ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ଦ୍ଵାରା ସଠିକ୍ ଭାବେ ଅତି ସୂକ୍ଷ୍ମ ଟିସୁ ଗୁଡ଼ିକର ମଧ୍ୟ ଅସ୍ତ୍ରୋପଚାର ହୋଇପାରିବ ।ଏମ୍ସ ଭୁବନେଶ୍ବରରେ ଦଶ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ଲିଭର ଟ୍ରାନ୍ସପ୍ଲାଣ୍ଟ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ଏବଂ ଏକ ସ୍ୱତନ୍ତ୍ର ମଡ୍ୟୁଲାର୍ ଓଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ।
