୧୩ ଘଣ୍ଟା ହେଲା ଜଳୁଛି ଭୁବନେଶ୍ଵର ଲିଙ୍ଗିପୁର ନିକଟ ସୁପରମାର୍ଟ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ଆଡଭାନ୍ସ ଟେକ୍ନୋଲୋଜି ସହ ୪୦ରୁ ଉର୍ଦ୍ଧ୍ଵ ଦମକଳ ଗାଡି ନିଆଁ ଲିଭାଇବାରେ ଲାଗିଛନ୍ତି। ଆୟତ୍ତକୁ ଆସିନି ରାତିରୁ ଲାଗିଥିବା ନିଆଁ। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ। କ୍ରେନ୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି ଅଗ୍ନିଶମ ଟିମତ। ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ତେବେ ବିଦ୍ୟୁତ୍ ଶର୍ଟସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ କୌଣସି ହତାହତ ହୋଇନଥିବା ଜଣାପଡ଼ିଛି, କିନ୍ତୁ ବ୍ୟାପକ ଆର୍ଥିକ କ୍ଷତି ହୋଇଛି ।ପାଣି କି ଫୋମ୍ କେଉଁଥିରେ ବି ନିଆଁ ଲିଭୁନି। ନାକେଦମ ହେଲାଣି ଅଗ୍ନିଶମ ବାହିନୀ। ଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତକୁ ଆସୁନି। ତରଳିଗଲାଣି ଛାତ ରଡ୍, କାନ୍ଥ ଫାଟି ବାହାରୁଛି ନିଆଁ। କେଉଁ ସମୟରେ ବି ଭୁଶୁଡ଼ିଯିବ ସୁପରମାର୍ଟ ବିଲ୍ଡିଂ। ଗତକାଲି ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ଲାଗିଛି ନିଆଁ। ସେପଟେ ସୁପରମାର୍ଟ ଭିତରକୁ ପାଣି ମାଡ଼ କରିବାକୁ ବାଟ ନଥିବାରୁ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି। ଫୋମ୍ ସାହାଯ୍ୟରେ ସୁପରମାର୍ଟର ନିଆଁ ଲିଭାଯାଉଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
