ପୁଣି ଭୟଙ୍କର ବିମାନ ଦୁର୍ଘଟଣା । ବିମାନରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ୮ ଲକ୍ଷର ଲୋନ୍, ଭଡାରେ ଏୟାର ଆମ୍ବୁଲାନ୍ସ, ହେଲେ କେଇ ସେକେଣ୍ଡରେ ସବୁକିଛି ଛାରଖାର୍ । କିଏ ବାପାକୁ ହରାଇଲା ତ କାହା ମୁଣ୍ଡରୁ ଲିଭିଛି ସିନ୍ଦୂର । ନିମିଷକରେ ଉଜୁଡିଗଲା ଅନେକ ପରିବାର । ରୋଗୀ ନେଇ ଯାଉ ଯାଉ ମଝି ଆକାଶରେ ଶବ ପାଲଟିଗଲେ ସମସ୍ତେ । ଜଣେ ରୋଗୀଙ୍କୁ ନେଇ ରାଞ୍ଚିରୁ ଦିଲ୍ଲୀ ଯାଉଥିବାବେଳେ ଗୋଟିଏ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଚତ୍ରା ଜିଲ୍ଲାରେ ଘଞ୍ଚ ଜଙ୍ଗଲ ଭିତରେ ଖସିପଡିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବିମାନ ଭିତରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ଆସିଛି ହୃଦୟ ବିଦାରକ ଚିତ୍ର, ଯେଉଥିରେ ବିମାନଟି ଚୁରମାର୍ ହୋଇପଡିଥିବା ଦେଖାଯାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ସଞ୍ଚୟ କୁମାର ନାମକ ଜଣେ ରୋଗୀ, ତାଙ୍କର ସଂପର୍କୀୟ, ଜଣେ ଡାକ୍ତର ଓ ବିମାନ କର୍ମଚାରୀ । ସଞ୍ଜୟ ଝାଡଖଣ୍ଡ ଚାନ୍ଦୱା ସହରରେ ଏକ ଛୋଟିଆ ହୋଟେଲ କରି ଚଳୁଥିଲେ । ସର୍ଟ ସର୍କିଟରୁ ତାଙ୍କ ହୋଟେଲରେ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡି ହୋଇ ସେ ଗୁରୁତର ଥିଲେ । ରାଞ୍ଚିରେ ଟ୍ରିଟମେଣ୍ଟ ପରେ ତାଙ୍କୁ ଦିଲ୍ଲୀ ରେଫର୍ କରିଥିଲେ ଡାକ୍ତର । ହେଲେ ଟଙ୍କାର ଅଭାବ ଯୋଗୁଁ ପରିବାର ଲୋକେ ୮ ଲକ୍ଷ ଟଙ୍କା ଲୋନ୍ କରି ତାଙ୍କୁ ଏୟାରଆମ୍ବୁଲାନ୍ସରେ ଦିଲ୍ଲୀ ନେଉଥିଲେ । ବିମାନରେ ସଞ୍ଜୟଙ୍କ ସହ ଥିଲେ ତାଙ୍କ ପତ୍ନୀ ଅର୍ଚ୍ଚନା, ଜଣେ ସଂପର୍କୀୟ ଧ୍ରୁବ, ଡାକ୍ତର ବିକାଶ କୁମାର ଗୁପ୍ତା, ଜଣେ ଆଟେଣ୍ଡାଣ୍ଟଙ୍କ ସହ ଦୁଇ ବିମାନ କର୍ମଚାରୀ । ସଞ୍ଜୟଙ୍କ ଭାଇ ଅଜୟ କହନ୍ତି, “ଆମେ ଆତ୍ମୀୟ ସ୍ୱଜନଙ୍କଠାରୁ ଋଣ ଆଣିଲୁ, କିଏ ଭରସାରେ ଦେଲା ତ କିଏ ସୁଧରେ । ଭାବିଥିଲୁ ଜୀବନ ବଞ୍ଚିଗଲେ ସବୁ ସୁଝିଦେବୁ ।” କିନ୍ତୁ ବିମାନ ଦୁର୍ଘଟଣାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା । ଏହି ଯାତ୍ରାରେ ସଞ୍ଜୟଙ୍କ ସହ ଥିଲେ ତାଙ୍କ ୧୭ ବର୍ଷର ଭଣଜା ଧ୍ରୁବ, ଯିଏ ନିଜ ପାଠପଢ଼ା ଛାଡ଼ି ମାମୁଁଙ୍କ ସେବାରେ ଲାଗିଥିଲେ । ସେ ଥିଲେ ପରିବାରର ଏକମାତ୍ର ପୁଅ । ସଞ୍ଜୟଙ୍କ ସହ ସେ ବି ପ୍ରାଣ ହରାଇଥିଲେ । ଜଙ୍ଗଲ ଭିତରେ ୪ କିଲୋମିଟର ପାଦରେ ଚାଲି ଚାଲି ଯାଇ ଶବଗୁଡ଼ିକୁ କାନ୍ଧରେ ବୋହି ଆଣିଥିଲେ ରେସକ୍ୟୁ ଟିମ୍ । ଜଙ୍ଗଲରେ ବିଛାଡ଼ି ହୋଇ ପଡ଼ିଥିବା ସେହି ବିମାନର ଭଙ୍ଗା ଅଂଶ କେବଳ ଏକ ଦୁର୍ଘଟଣାର ପ୍ରମାଣ ନଥିଲା, ବରଂ ସେଗୁଡ଼ିକ ଥିଲା ସେହି ଋଣ ଏବଂ ସ୍ୱପ୍ନର କାହାଣୀ, ଯାହା ସବୁଦିନ ପାଇଁ ମାଟିରେ ମିଶିଗଲା ।ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିମାନ କ୍ରାସ ସମୟରେ ପ୍ରବଳ ବର୍ଷା ପବନ ହେଉଥିଲା ।
ମୃତକଙ୍କ ଭିତରେ ଥିବା ଡାକ୍ତର ବିକାଶ ଗୁପ୍ତା ରୋଗୀକୁ ବଞ୍ଚାଇବାକୁ ଯାଇ ନିଜେ ଆଖି ବୁଜିଛନ୍ତି । ସେ କଟକରୁ MBBS କରିବା ପରେ ରାଞ୍ଚି ସଦର ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ତାଙ୍କର ଗୋଟିଏ ୭ ବର୍ଷର ପୁଅ ଥିବାବେଳେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଛି ।
