ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’ | ୪୨ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଛି ‘ରଥ କୋଡ୍-୧୯୮୩’ । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି AI ବ୍ୟବହାର ଓ ସେବାୟତଙ୍କ ଶୃଙ୍ଖଳା ପର୍ଯ୍ୟନ୍ତ, ସବୁଥିରେ ହେବ ବ୍ୟାପକ ସଂସ୍କାର । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।ଗତ ଦୁଇ ବର୍ଷର ପରିଚାଳନାଗତ ତ୍ରୁଟି ସରକାରଙ୍କ ପାଇଁ ଶିକ୍ଷା ସାଜିଛି । ୨୦୨୪ରେ ପହଣ୍ଡି ସମୟରେ ଅଘଟଣ ଓ ପୂର୍ବରୁ ଘଟିଥିବା ଦଳାଚକଟା ପରିସ୍ଥିତିକୁ ନେଇ ସେବାୟତ ମହଲରେ ମଧ୍ୟ ଅସନ୍ତୋଷ ରହିଥିଲା । ତେଣୁ ନୂଆ କୋଡ୍ରେ କେବଳ ବ୍ୟବସ୍ଥା ନୁହେଁ, ବରଂ ଅବହେଳା କରୁଥିବା ଅଧିକାରୀ ଓ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ପହଣ୍ଡି ଓ ନୀତି ସମୟରେ କେବଳ ସଂପୃକ୍ତ ସେବକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରିବାକୁ ଦାବି କରିଛନ୍ତି ସେବାୟତ ନିଯୋଗ ।ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’ । ବର୍ତ୍ତମାନର ସ୍ଥିତିକୁ ଦେଖି ପ୍ରଚଳିତ ବିଧି ବ୍ୟବସ୍ଥାରେ ବ୍ୟାପକ ସଂଶୋଧନ ପାଇଁ ମାନସ ମନ୍ଥନ ଆରମ୍ଭ କରିଛନ୍ତି ସରକାର । ବିଶେଷ କରି କ୍ରାଉଡ୍ ମ୍ୟାନେଜମେଣ୍ଟ, ରଥ ଟଣା, ପହଣ୍ଡି କୌଶଳ ଏବଂ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏକ ସୁଦୂରପ୍ରସାରୀ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି ।
