ହୋର୍ଡିଂ ଟ୍ରାଜେଡି ପରେ ବିଏମ୍ସିର ପଶିଲା ଚେତା ।ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ଏଥିପାଇଁ ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି । ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ ।ସ୍ଥାୟୀ ପ୍ରମାଣପତ୍ର ଦେବା ପାଇଁ ବାଧ୍ୟତାମୂଳକା କରାଯାଇଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଲ ରଣା ।ସେହିପରି, ସମସ୍ତ ହୋର୍ଡିଂ ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ଓ ସୁରକ୍ଷା ହେଉଛି ସେଥିପାଇଁ ହୋର୍ଡିଂ ପାଇଁ ନୂଆ ବ୍ୟବସ୍ଥା କରିବ ବିଏମ୍ସି । ସବୁ ହୋର୍ଡିଂର ସମୀକ୍ଷା କରି ଏହାର ସ୍ଥିତି କିପରି ଅଛି, ତାହା ଜଣାଇବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ହୋର୍ଡିଂ ଗୁଡ଼ିକରେ ନିଜ ସଂସ୍ଥାର ନାମ ଲେଖିବାକୁ ମଧ୍ୟ କୁହାଯାଇଛି । ପ୍ରତି ଏଜେନ୍ସି ସବୁ ହୋର୍ଡିଂରେ ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସ କରିବାକୁ କୁହାଯାଇଛି ।
ବର୍ତ୍ତମାନ ୩ଟି ଏଜେନ୍ସିକୁ ସରକାରୀ ଦର ଅନୁସାରେ ହୋର୍ଡିଂ ଲଗାଇବାକୁ ଅନୁମତି ଦିଆଯାଇଛ । ବାକି ଏଜେନ୍ସି ପାଇଁ ଆସନ୍ତା ୬ ତାରିଖ ପରେ ଟେଣ୍ଡର ଖୋଲା ହେବ । ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କୌଣସି ହୋର୍ଡିଂରେ ଫ୍ଲେକ୍ସ ଇତ୍ୟାଦି ଛିଡି ଯାଏ, ତେବେ ତୁରନ୍ତ ତାକୁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂକୁ ହଟାଇବା ପାଇଁ ମଧ୍ୟ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି ।
