ଶ୍ରଦ୍ଧା ଆଉ ଭକ୍ତିର ସହର ପୁରୀ ଜଗନ୍ନାଥ ଧାମ ।ଏ ମାଟିରେ ଖୁସିର ପର୍ବ ହୋଲିକୁ ବିଦେଶୀ ପର୍ଯ୍ୟଟକ ବି ବେଶ ଧୁମଧାମରେ ପାଳିଛନ୍ତି । ବିଶେଷ କରି ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକମାନେ ଆଜି ଏହି ହୋଲି ପର୍ବକୁ ପାଳନ କଲାବେଳେ ବିଭୋର ହୋଇ ପଡିଥି୍ଲେ । ବିଦେଶ ମାଟିରେ ବିଦେଶୀ ମଣିଷଙ୍କ ସହ ବିଦେଶୀ ପର୍ବ ହୋଲିକୁ ବେଶ୍ ଉପଭୋଗ କରୁଥିଲେ ଏଇ ଜାପାନୀମାନେ । ପୁରୀର ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଆଜି ଏହି ହୋଲି ଉତ୍ସବ ପାଳନ କରା ଯାଇଥିଲା । ଉଭୟ ଓଡିଆ ଏବଂ ଜାପାନ ପର୍ଯ୍ୟଟକ ମିଳିମିଶି ପରସ୍ପରକୁ ରଙ୍ଗ ଲଗେଇଥିଲେ । ଜାପାନରେ ହୋଲି ପାଳନ ହେଉନଥିଲେ ମଧ୍ୟ ଭାରତୀୟ ସଂସ୍କୃତି, ପରମ୍ପରାର ହୋଲି ଉତ୍ସବ ସେମାନଙ୍କୁ ବେଶ୍ ଆନନ୍ଦ ଦେଇଛି।ଖାଲି ଜାପାନୀ ପର୍ଯ୍ୟଟକ ନୁହେଁ, ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ପୁରୀରେ ରଙ୍ଗର ପର୍ବ ହୋଲିର ମଜା ନେଇଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସମୁଦ୍ର ବେଳାଭୁମିରେ ହୋଲି ଖେଳି ବେଶ୍ ଆନନ୍ଦ ଉଠାଇଛନ୍ତି ପର୍ଯ୍ୟଟକମାନେ। ସମୁଦ୍ରରେ ସ୍ନାନ କରିବା ପରେ ପରସ୍ପର ମଧ୍ୟରେ ରଙ୍ଗ ବୋଳି ନିଜ ପରିବାର, ବନ୍ଧୁ ପରିଜନଙ୍କ ସହ ହୋଲି ଉତ୍ସବ ପାଳନ କରିଛନ୍ତି ହଜାର ହଜାର ପର୍ଯ୍ୟଟକ।
