କୋର୍ଟ ସମ୍ମୁଖରେ ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା ଅଭିଯୋଗ

ଗଂଜାମ ଜିଲ୍ଲା ଭଂଜନଗର ଥାନା ଠାରୁ କିଛି ଦୂରରେ ଥିବା କୋର୍ଟ ସମୁଖରେ ଗୁରୁବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ ୨ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମର ରାମନାଥ ସ୍ବାଇଁଙ୍କ ପୁଅ ଅଶୋକ ଏକ କେଶ ମାମଲାର ବାଇଦାରେ ହାଜର ହେବାକୁ କୋର୍ଟକୁ ଆସୁଥିଲେ । ଏହି ସମୟରେ ଥାନା ଅନ୍ତର୍ଗତ ଡିହ ପଢାଳ ଗ୍ରାମର ଦିଲ୍ଲୀପ ଜେନା ନାମକ ଜଣେ ଯୁବକ ଅତର୍କିତ ଅଶୋକକୁ ଫାର୍ସାରେ ଚୋଟ ପରେ ଚୋଟ ପକାଇଥିଲା। ଅଶୋକଙ୍କ ଶରୀରର ଦେହ ମୁଣ୍ଡ ସବୁଠି ୨୦ରୁ ଊର୍ଦ୍ଧ୍ବ ଚୋଟ ମାରିବା ପରେ ଦିଲ୍ଲୀପକୁ କୋର୍ଟ ପରିସରରେ ଥିବା ପୁଲିସ କାବୁ କରି ଥାନାକୁ ନେଇଥିଲେ।

ସେହିପରି ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଅଶୋକକୁ ପାଖରେ ଥିବା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚାଉଚରା କରୁଛି। ଏଭଳି ଏକ ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।

ଅଧିକ ପଢନ୍ତୁ