ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଶୀଘ୍ର ଶେଷ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି ବିବାଦର ସମାଧାନ ଯୁଦ୍ଧ ନୁହେଁ, କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ ଇରାନ ସହିତ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଛି।ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଶ୍ୱକୁ ଏବେ ପୁରୁଣା ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକର ସଂସ୍କାରର ଅତ୍ୟନ୍ତ ଆବଶ୍ୟକତା ଅଛି। ସଂସ୍କାର କେବଳ ଆବଶ୍ୟକ ନୁହେଁ, ବରଂ ଏହା ବହୁତ ଶୀଘ୍ର କରାଯିବା ଆବଶ୍ୟକ। ସମସ୍ତ ପ୍ରକାରର ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତା ରହିଛି ।ଦିଲ୍ଲୀରେ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଏବଂ ଫିନଲ୍ୟାଣ୍ଡ ଉଭୟ ଆଇନର ଶାସନ, ଆଲୋଚନା ଏବଂ କୂଟନୀତିରେ ବିଶ୍ୱାସ କରନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଦୀର୍ଘକାଳୀନ ଶାନ୍ତି ପ୍ରୟାସକୁ ସମର୍ଥନ କରିବା ଜାରି ରଖିବେ।
