ନୂତନ ଆଇନରେ ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ତଦନ୍ତକୁ ଗୁରୁତ୍ବ ପ୍ରଦାନ

ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–III ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି। ଆସନ୍ତା ୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ପାଇଁ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଡିଜିପି ଓ୍ବାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି ।ଡିଜିପି କହିଛନ୍ତି, ଏହି ପ୍ରଦର୍ଶନୀରେ ଭାରତର ନ୍ୟାୟ ବ୍ୟବସ୍ଥାରେ ଉପନିବେଶ ଯୁଗରେ ପ୍ରଚଳିତ ଥିବା ଦଣ୍ଡ ବା ଶାସ୍ତି କୈନ୍ଦ୍ରୀକ ବ୍ୟବସ୍ଥାରୁ ଆଧୁନିକ ନ୍ୟାୟ କୈନ୍ଦ୍ରୀକ ବ୍ୟବସ୍ଥାକୁ ହୋଇଥିବା ପରିବର୍ତ୍ତନକୁ ପ୍ରଦର୍ଶିତ କରାଯିବ । ଏହା ଦ୍ବାରା ନୂତନ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାଂଖ୍ୟ ଅଧିନିୟମ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ପୀଡ଼ିତଙ୍କ ଅଧିକାର ଓ ସମ୍ମାନକୁ ପ୍ରାଥମିକତା ଦିଆଯାଇ ସମୟ ସୀମା ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ହେଉଛି ନୂତନ ଆଇନର ମୂଳ ଲକ୍ଷ୍ୟ । ‘ବିଳମ୍ବିତ ନ୍ୟାୟ ମାନେ ନ୍ୟାୟର ଅସ୍ୱୀକାର’ ଏହି ସିଦ୍ଧାନ୍ତକୁ ନୂତନ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ଡିଜିପି କହିଥିଲେ ।ନୂତନ ଆଇନରେ ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ତଦନ୍ତକୁ ଗୁରୁତ୍ବ ପ୍ରଦାନ କରାଯାଇଛି । ସେହି ଅନୁଯାୟୀ, ଗୁରୁତର ଅପରାଧରେ ଫରେନସିକ ତଦନ୍ତ, ଡିଜିଟାଲ୍ ପ୍ରମାଣର ସ୍ୱୀକୃତି ଓ ସମୟସୀମା ମଧ୍ୟରେ ତଦନ୍ତ ପ୍ରକ୍ରିୟାକୁ ଜୋର ଦିଆଯାଇଛି। ଏହା ସହ ନୂତନ ଆଇନ କାର୍ଯ୍ୟକାରୀ ପାଇଁ ସ୍ବତନ୍ତ୍ର ଯୋଜନା, ପୋଲିସ ଆଧୁନିକୀକରଣ ଓ ସଶକ୍ତିକରଣ, ମହିଳା ବିରୋଧୀ ଅପରାଧ ଉପରେ ରୋକ ଲଗାଇବା, ମାଓ ଦମନରେ Special Operations Group (SOG) ର ଭୂମିକା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ Odisha Disaster Rapid Action Force (ODRAF) ର ଅବଦାନ ଆଦି ସମ୍ପର୍କରେ ମଧ୍ୟ ପ୍ରଦର୍ଶିତକରାଯିବ “ନ୍ୟାୟ ସଂହିତା ପ୍ରଦର୍ଶନୀ ଭାରତର ଅପରାଧ ନ୍ୟାୟ ବ୍ୟବସ୍ଥାର ଐତିହାସିକ ପରିବର୍ତ୍ତନ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସର ପ୍ରତିବଦ୍ଧତାର ଏକ ପ୍ରତିଫଳନ।

ଅଧିକ ପଢନ୍ତୁ