ଲୁହା ରଡ୍ ଚୋରି ପାଇଁ ଯୁବକଙ୍କୁ ଚେନ୍‌ରେ ବାନ୍ଧି ୪ ମାସ ଧରି ନିର୍ଯାତନା, ଉଦ୍ଧାର କଲା ପୋଲିସ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ପଞ୍ଚାୟତ ପୁରୁଣାଘାଟି ଗାଁରୁ ଏକ ଲୋମହର୍ଷକ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ଲୁହାରଡ୍‌ ଚୋରି କରିଥିଲେ ବୋଲି ଏତେବଡ଼ ସଜା! ହାତଗୋଡ଼ରେ ଚେନ୍‌ ବାନ୍ଧି ଗୋଟିଏ ବନ୍ଦଘରେ ୪ମାସ ନିର୍ଯାତନା। ୪ଦିନରେ ଥରେ ମିଳୁଥିଲା ଖାଇବା। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।ନିର୍ଯାତିତ ଯୁବକ ପୁରୁଣାଘାଟି ଗାଁର ହରିହର ପ୍ରଧାନଙ୍କ ପୁଅ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ୪ ମାସ ପୂର୍ବେ ସେ ପଡ଼ୋଶୀ ଶିବରାଜଙ୍କ ଘରୁ କିଛି ଲୁହା ରଡ୍ ଚୋରି କରିଥିଲେ । ଏହା ପରେ ଶିବରାଜଙ୍କ ପରିବାର ଲୋକେ ତାଙ୍କୁ ଜବରଦସ୍ତି ଧରି ଆଣି ଗୋଟିଏ ବନ୍ଦ ଘରେ ଲୁହା ବେଡ଼ି ପକାଇ ରଖିଥିଲେ । କ୍ଷୀରୋଦଙ୍କୁ ଅତ୍ୟନ୍ତ ଅପରିଷ୍କାର ପାତ୍ରରେ ମାତ୍ର ୪ ଦିନରେ ଥରେ ଖାଇବାକୁ ଦିଆଯାଉଥିଲା ଓ ସମୟ ସମୟରେ ମାଡ଼ ବି ମାରାଯାଉଥିଲା । କାଳେ ସେ ଖସି ପଳାଇ ଯିବ ତେଣୁ ତାଙ୍କୁ କାନ୍ଥ ସହ ଲୁହା ଜଞ୍ଜିରରେ ବାନ୍ଧି ତାଲା ପକାଇ ରଖାଯାଇଥିଲା । ବଡ଼ କଥା ହେଉଛି, ଏହି ନିର୍ଯାତନାରେ ଶିବରାଜଙ୍କ ଭାଇ ଅନୀଲ ଓ କ୍ଷୀରୋଦଙ୍କ ନିଜ ଭାଇ ମନୋଜ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି ।୪ ମାସ ପରେ ଘଟଣା ସମ୍ପର୍କରେ ପୁଲିସକୁ ଖବର ମିଳିଥିଲା। ଆଜି ପୁଲିସ ପହଞ୍ଚି କ୍ଷୀରୋଦଙ୍କୁ ଉଦ୍ଧାର କରିଛି। ଆନନ୍ଦପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଅଧିକ ପଢନ୍ତୁ