ସୁନାଖଳା ପାହାଡରେ ବାଘ ଗୁଜବକୁ ନେଇ ଆତଙ୍କ : ଭାଇରାଲ୍ ଭିଡିଓକୁ ନେଇ ଅସ୍ପଷ୍ଟତା

ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ ସୁନାଖଳା ପାହାଡ ଉପରେ ବାଘ ଥିବା ନେଇ ଗତକାଲିଠାରୁ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏହି ଭିଡିଓକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ସୁନାଖଳା ଗ୍ରାମର ସମାଜସେବୀ ଦେବେନ୍ଦ୍ର କୁମାର ରଣାଙ୍କ କହିବା ଅନୁସାରେ, ଗତ କିଛି ଦିନ ଧରି ସୀମାନ୍ତ ଅଞ୍ଚଳରେ କଲରାପତରିଆ ବାଘ ଦେଖାଯାଇଥିବା ନେଇ କିଛି ଗ୍ରାମବାସୀ ଦାବି କରିଥିଲେ। ଗତକାଲି ପୁଣି ଏପରି ଘଟଣା ଘଟିଥିବା ଖବର ପ୍ରଚାର ପାଇବା ପରେ ସୁନାଖଳା ଓ ପାଖପାଖି ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁନାଖଳା ପାହାଡ ଅଞ୍ଚଳରେ ସଂପୂର୍ଣ୍ଣ ତଦନ୍ତ କରିଥିଲେ। ପାହାଡ ସହିତ ନିକଟସ୍ଥ ପୋଖରୀ ଓ ଜଳାଶୟଗୁଡ଼ିକରେ ବାଘର ପାଦଚିହ୍ନ ଖୋଜାଯାଇଥିଲା। କିନ୍ତୁ କେଉଁଠି ମଧ୍ୟ ବାଘର ସ୍ପଷ୍ଟ ପାଦଚିହ୍ନ ମିଳିନଥିବା ବୋଲି ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।ଏପର୍ଯ୍ୟନ୍ତ ଭାଇରାଲ୍ ଭିଡିଓଟି ସତ୍ୟ କି ଗୁଜବ, ସେନେଇ ସ୍ପଷ୍ଟ ନିଷ୍କର୍ଷକୁ ପହଞ୍ଚିପାରିନଥିବା ବେଳେ, ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଏହା ନେଇ ଅନିଶ୍ଚିତତା ଜାରି ରହିଛି।ଅନ୍ୟପଟେ, ସ୍ଥାନୀୟ ଜନସାଧାରଣଙ୍କୁ ଆତଙ୍କିତ ନହୋଇ ସଚେତନ ଓ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁ ପର୍ଯ୍ୟନ୍ତ ଘଟଣାର ସତ୍ୟତା ସ୍ପଷ୍ଟ ହେଉନାହିଁ, ସେପର୍ଯ୍ୟନ୍ତ  ଭରସା ନକରି ସତର୍କ ରହିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଛି

ଅଧିକ ପଢନ୍ତୁ