କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଓ ଡିଜେଲର ଏକ୍ସସାଇଜ ଦରରେ ଲିଟର ପ୍ରତି ଦଶ ଟଙ୍କା ହ୍ରାସ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ବିଜୁ ଜନତା ଦଳ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଲାଗୁ କରିଥିବା ଭାଟ୍କୁ ହ୍ରାସ କରିବା ପାଇଁ ଦାବି ରଖିଛି ।ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ସମ୍ପ୍ରତି ଇସ୍ରାଏଲ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ସମଗ୍ର ବିଶ୍ୱରେ ଇନ୍ଧନ ସଙ୍କଟ ଦେଖା ଦେଇଛି, ଯାହାକୁ ନେଇ ଜନସାଧାରଣ ମନରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମିଳିବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ଯଦିଓ ସରକାରଙ୍କ ତରଫରୁ ବାରମ୍ୱାର ସଙ୍କଟ ସ୍ଥିତି ଆସିନାହିଁ ବୋଲି ସୂଚନା ଦିଆଯାଉଛି, ତଥାପି ଏହା ଜନସାଧାରଣଙ୍କ ମନରୁ ସନେ୍ଦହ ଦୂର କରିପାରି ନାହିଁ । ଏହି ପରିସ୍ଥିତିରେ, କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲର ଏକ୍ସସାଇଜ ଦର ଉପରେ ପ୍ରତି ଲିଟର ଦଶ ଟଙ୍କା କମାଇଛନ୍ତି । କିନ୍ତୁ, କେଉଁ ପରିପ୍ରେକ୍ଷୀରେ ଏକ୍ସସାଇଜ ଦର କମାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପେଟ୍ରୋଲ ଓ ଡିଜେଲ ମିଳିବାରେ ସମସ୍ୟା ଦେଖା ଦେଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଦରବୃଦ୍ଧି ହେଲେ ଜନ ଆକ୍ରୋଶରୁ ରକ୍ଷା ପାଇବା ଉଦେ୍ଦଶ୍ୟରେ ସମ୍ଭବତଃ ସରକାର ପୂର୍ବରୁ ଏକ୍ସସାଇଜ ଦର ହ୍ରାସ କରିଛନ୍ତି ବୋଲି କୁହାଯାଉଛି । ବର୍ତ୍ତମାନ ଇନ୍ଧନ ଯୋଗାଣରେ ବ୍ୟାହତ ନହେବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଯଦି ରାଜ୍ୟବାସୀଙ୍କୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସୁରୁଖୁରୁରେ ଯୋଗାଇ ଦେବା ପାଇଁ ତତ୍ପର ଅଛନ୍ତି, ତାହେଲେ ସେ ରାଜ୍ୟ ସରକାର ଲାଗୁ କରୁଥିବା ଭାଟ୍କୁ କମ୍ କରନ୍ତୁ ।
