ଗତ ଶିକ୍ଷାବର୍ଷରେ ଯେପରି ସ୍କୁଲ ୟୁନିଫର୍ମ ବଣ୍ଟନରେ ସମସ୍ୟା ଦେଖିବାକୁ ମିଳିଥିଲା ତାର ଆଉ ପୁନରାବୃତ୍ତି ହେବନି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯେପରି ଧାର୍ଯ୍ୟ ସମୟରେ ପୋଷାକ ବଣ୍ଟନ ହେବ ତାକୁ ନେଇ ଆଗୁଆ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ ମାନର କପଡ଼ାରେ ପୋଷାକ ସିଲେଇ କରି ପୋଷାକ ବଣ୍ଟନ କରାଯିବ । ଖରା ଛୁଟି ପୂର୍ବରୁ ପୋଷାକ ବଣ୍ଟନ ସୁନିଶ୍ଚିତ କରାଯିବ । ପୋଷାକ ବଣ୍ଟନ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ପରିମାଣ, ମାପ ଏସବୁ ସଂଗ୍ରହ କରାଯିବ । ଏଜେନ୍ସି ଚୟନ କରାଯିବ । ପୋଷାକ ସିଲେଇ ହେବ । ଏହାକୁ ବଣ୍ଟନ ହେବ । ଯେପରି କୌଣସି ଜଣେ ବି ପିଲା ପୋଷାକ ବଣ୍ଟନରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ପୋଷାକ କପଡ଼ାର ମାନ ଓ ସିଲେଇରେ ଯେପରି କୌଣସି ପ୍ରକାର ତ୍ରୁଟି ନଦେଖାଯାଏ ସେଥିଲାଗି ମଧ୍ୟ କୁହାଯାଇଛି । ଏହାକୁ ଖୋଦ୍ ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ତଦାରଖ କରିବାକୁ ନିର୍ଦ୍ଦେଶ ହୋଇଛି ।ପୋଷାକ ବଣ୍ଟନ ପାଇଁ ସବୁ ଦିନ ଏହାର ସମୀକ୍ଷା ବୈଠକ କରି ତଥ୍ୟ ସଂଗ୍ରହ କରାଯିବ । ଯଦି କୌଣସି ସ୍ଥାନରେ ପୋଷାକ ପହଞ୍ଚିବାରେ ବିଳମ୍ବ ହେଉଛି କିମ୍ବା ଖରାପ ମାନର ପୋଷାକ ବଣ୍ଟନ ହୋଇଛି ସେହି ସମସ୍ୟାର ସମାଧାନ ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଓସେପା ଓ ଗଣଶିକ୍ଷା ବିଭାଗକୁ ପ୍ରତି ୧୪ ଦିନରେ ରିପୋର୍ଟ ପ୍ରଦାନ କରାଯିବ । ଏନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ତେବେ ଏହି ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
