ଇରାନର ଭୟଙ୍କର ଆକ୍ରମଣ: ସାଉଦି ଆରବର ଆମେରିକୀୟ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼

ଇରାନ-ଇସ୍ରାଏଲ ଯୁଦ୍ଧର ୨୯ ଦିନରେ ପହଞ୍ଚିଛି। ଫେବ୍ରୁଆରି ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ସହିତ ଏହା ଆରମ୍ଭ ହୋଇଥିଲା। ଦୁଇପକ୍ଷ ପରସ୍ପର ଉପ‌ରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି। ଫଳରେ ସ୍ଥିତି ଧିରେ ଧିରେ ସଙ୍କଟଜନକ ହେବାରେ ଲାଗିଛି। ସାଉଦି ଆରବର ‘ପ୍ରିନ୍ସ ସୁଲତାନ ଏୟାର ବେସ୍’ ଉପରେ ବଡ଼ ଧରଣର ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ଆକ୍ରମଣରେ ଆମେରିକା ବାୟୁସେନାର କିଛି ତେଲ ଭରୁଥିବା ବିମାନ ନଷ୍ଟ ହୋଇଯାଇଛି । ସାଟେଲାଇଟ୍ ଚିତ୍ରରୁ ବିମାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି । ପ୍ରାଥମିକ ସୂଚନା ଅନୁସାରେ ୧୦ ରୁ ୧୨ ଜଣ ସୈନ୍ୟ ଆହତ ହୋଇଛନ୍ତି ।ସାଉଦି ଆରବ ଦାବି କରିଛି ଯେ, ଇରାନ ପକ୍ଷରୁ ରାଜଧାନୀ ରିୟାଦକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ରକୁ ଅଟକାଇ ନଷ୍ଟ କରିଦିଆଯାଇଛି। ଯାହା ଫଳରେ ବଡ଼ ଧରଣର କ୍ଷତି ଏଡାଇ ହୋଇଯାଇଛି। ତେବେ ଇରାନ ଆକ୍ରମଣ ଯୋଗୁ ସାମଗ୍ରିକ ଭାବରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି ଏବଂ ଏହି ସଂଘର୍ଷ ଶୀଘ୍ର ଶେଷ ହେବାର ସମ୍ଭାବନା କମ୍ ଦେଖାଯାଉଛି।ତେବେ ଏପର୍ଯ୍ୟନ୍ତ କୌଣସି ସୈନ୍ୟଙ୍କ ମୃତ୍ୟୁ ଖବର ଆସିନାହିଁ। ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପରେ ମଧ୍ୟ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହା ଇରାନର ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କୁହାଯାଉଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଇରାନ ନିଜର ଆକ୍ରମଣ ଜାରି ରଖିଛି । ଆମେରିକା ପ୍ରତିରକ୍ଷା ବିଭାଗ ଘଟଣା ଉପରେ ନଜର ରଖିଛି ।

ଅଧିକ ପଢନ୍ତୁ