ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛି ଅଧା ଉପକୂଳ ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା | ଏଠାରେ ଆର୍ଦ୍ରତା ୭୦ରୁ ୮୦% ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଆସନ୍ତା ୪ତାରିଖ ଯାଏ ରାଜ୍ୟରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଜନସାଧାରଣଙ୍କୁ ପ୍ରଚୁର ପାଣି, ଓଆର୍ଏସ୍ ଆଦି ପିଇବାକୁ ପରାମର୍ଶ ଦିଆଯାଇଛି। ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ସେପଟେ ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣି ୪୦ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ରହିଛି ୪୦ ଡିଗ୍ରି। ୫ ତାରିଖରେ କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବରୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ବି ଅଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
