ଯୁଦ୍ଧର ପ୍ରଭାବ ସିଧାସଳଖ ଅଣ୍ଡା ବଜାର ଉପରେ ପଡ଼ିଛି । ପରିଣାମ ସ୍ବରୂପ ଓଡ଼ିଶାରେ ଅଣ୍ଡା ମୂଲ୍ୟ ହ୍ରାସ ପାଇଛି । ବଜାରରେ ଅଣ୍ଡା ଦର ହ୍ରାସ ଚାଷୀ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି ।ଓଡ଼ିଶାରେ ଦୈନିକ ଏକ କୋଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ ହେଉଛି । ଏହା ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୬୪ଟି ଫାର୍ମରୁ ନିୟମିତ ପ୍ରାୟ ୫୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ପ୍ରତିଦିନ ରାଜ୍ୟରୁ ଲକ୍ଷ ଲକ୍ଷ ଅଣ୍ଡା ଦେଶ ସହ ବିଦେଶୀ ବଜାରକୁ ରପ୍ତାନୀ କରାଯାଏ । ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ ଯୋଗୁଁ ଏବେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗିଛି । ତେଣୁ ରପ୍ତାନୀ ସ୍ଥଗିତ ରହିଥିବାରୁ, ଚାଷୀମାନେ ଅତିରିକ୍ତ ଉତ୍ପାଦନ ପରିଚାଳନା କରିବାକୁ ସଂଘର୍ଷ କରୁଛନ୍ତି । ଚାଷୀମାନେ ଏବେ ସ୍ଥାନୀୟ ବଜାରରେ ଅତ୍ୟନ୍ତ କମ ମୂଲ୍ୟରେ ସେମାନଙ୍କର ଷ୍ଟକ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।ଯଦିଓ, ଓଡ଼ିଶାକୁ ଅଭାବ ହେଉଥିବା ଅଣ୍ଡା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ହିଁ ପୂରଣ କରିଥାନ୍ତି, ମାତ୍ର ବିଦେଶକୁ ରପ୍ତାନି ହେବାରେ ସମସ୍ୟା ହେବାରୁ, ସେସବୁ ରାଜ୍ୟର ବ୍ୟବସାୟୀମାନେ ଏବେ ଓଡ଼ିଶା ବଜାର ଉପରେ ନଜର ରଖିଛନ୍ତି । ବାହାର ରାଜ୍ୟରେ ଉତ୍ପାଦିତ ଅଣ୍ଡା ଯଦି ଓଡ଼ିଶା ବଜାରରେ ଅଧିକ ପରିମାଣରେ ବିକ୍ରି ହୁଏ ତେବେ ଦର ଆହୁରି ହ୍ରାସ ପାଇବା ତେବେ ମଧ୍ଯପ୍ରାଚ୍ୟ ଯୁଦ୍ଧ ପୂର୍ବରୁ ଓଡ଼ିଶାରେ ପ୍ରତି ଅଣ୍ଡାର ମୂଲ୍ୟ ୭ରୁ ୮ ଟଙ୍କାରେ ବିକ୍ରି ହେଉଥିଲା । ବର୍ତ୍ତମାନ ଦର ଖସି ଆସି ୫ ଟଙ୍କାରେ ବିକ୍ରି କରାଯାଉଛି । ହୋଲସେଲ ଦର ୪ ଟଙ୍କା ୬୫ ପଇସା ରହିଥିବା ବେଳେ ରିଟେଲ ଦର ୫ ଟଙ୍କା ରହିଛି । ପୂର୍ବରୁ ଅଣ୍ଡା ଟ୍ରେ ହୋଲସେଲ୍ ୨୦୦-୨୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା । ବର୍ତ୍ତମାନ ଅଣ୍ଡା ଟ୍ରେ ପିଛା ୫୦ରୁ ୭୦ ଟଙ୍କା ପର୍ଯ୍ଯନ୍ତ ହ୍ରାସ ପାଇଁ ୧୫୦ ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି ।
