
ନୟାଗଡ଼,(ଓଡ଼ିଶା ଦର୍ପଣ): ଅନୁଗୁଳ-ନୟାଗଡ଼ ଟାଉନ ଭାୟା ନରସିଂହପୁର, କଣ୍ଟିଲୋ, ଖଣ୍ଡପଡା ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ପାଇଁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି। ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ତାଳଚେର-ଗୋପାଳପୁର ରେଳପଥର ଏକ ଅଂଶ ସ୍ୱରୂପ ଅନୁଗୁଳ ଠାରୁ ଏକ ରେଳପଥ ଭାୟା ନରସିଂହପୁର, କଣ୍ଟିଲୋ ଏବଂ ଖଣ୍ଡପଡା ଦେଇ ନୟାଗଡ଼ ଟାଉନକୁ ସଂଯୋଗ ହେବ। ଏହାପରେ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ ଏକ ସଂଯୋଗକାରୀ ସିଧା ରେଳପଥ (କର୍ଡ଼ ଲାଇନ) ଦ୍ୱାରା ସଂଯୋଗ ହେଲେ ସିଧାସଳଖ ତାଳଚେରରୁ ଗୋପାଳପୁର ମଧ୍ୟରେ ରେଳ ସଂଯୋଗ ହୋଇପାରିବ। ୧୨୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପ୍ରସ୍ତାବିତ ଏହି ରେଳପଥର ଚୂଡ଼ାନ୍ତ ଲୋକେସନ ସର୍ଭେ ଏବଂ ଡିପିଆର କାର୍ଯ୍ୟ ରେଳବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ହୋଇସାରିଛି। ଗତବର୍ଷ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଣ୍ଟିଲୋ ନୀଳମାଧଵ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ସ୍ଥାନୀୟ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ। ତେବେ ଇତିମଧ୍ୟରେ ରେଳମନ୍ତ୍ରୀଙ୍କ ପ୍ରତିଶୃତିର ପ୍ରାୟ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏ ନେଇ କ୍ରିୟାନୁଷ୍ଠାନ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଥିବା ବେଳେ ତୁରନ୍ତ ବଜେଟରେ ଅର୍ଥ ମଂଜୁର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ମଧୁମିତା ରଥଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଆବାହକ ଶ୍ରୀ ପଟ୍ଟନାୟକଙ୍କ ସମେତ ନାଗରିକ ମଞ୍ଚ ପକ୍ଷରୁ ସମ୍ପାଦକ ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀଧର ମହାପାତ୍ର, ପୂର୍ଣଚନ୍ଦ୍ର ଶତପଥୀ, ପ୍ରଦୀପ କୁମାର ସାହୁ ଏବଂ ପ୍ରଦୀପ୍ତ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।
