ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି ରାଜ୍ୟ ସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସେ ସଂସଦ ଭବନରେ ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ। ଶପଥ ନେବା ପରେ ଚାରିଟି ଗୃହର ସଦସ୍ୟ ତାଲିକାରେ ହେଲେ ସାମିଲ । ଅର୍ଥାତ ବିଧାନସଭା, ବିଧାନପରିଷଦ, ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ତାଲିକାରେ ସାମିଲ ହେଲେ ନୀତିଶ । ଆଜି ପାଟନା ଫେରିବା ପରେ ବିହାର ସରକାର ଗଠନ ନେଇ ପ୍ରକ୍ରିୟା ଜୋରଦାର ହେବ ।
ତେବେ ନୀତିଶ କୁମାର ରାଜ୍ୟସଭାରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ । ତାଙ୍କ ସହିତ ଲଲନ ସିଂ ଏବଂ ସଂଜୟ ଝା ଉପସ୍ଥିତ ରହିବେ । ରାଜ୍ୟସଭା ପ୍ରାର୍ଥୀ ଭାବେ ଶପଥ ନେବା ପୂର୍ବରୁ ନୀତିଶ କୁମାର ଏମଏଲସି ସିଟରୁ ଇସ୍ତଫା ଦେଇଥିଲେ । ୨୦୦୫ରୁ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ ।ବିହାର ଛାଡି ରାଜ୍ୟସଭାରେ ଯୋଗଦେବା ବିଷୟରେ ପଚରାଯିବାରୁ ନୀତିଶ କୁମାର ମନ୍ତବ୍ୟ ଦେଇଥିଲେ ଯେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାର ଉଭୟ ଗୃହରେ ସଦସ୍ୟ ଭାବରେ ସେବା କରିବା ତାଙ୍କର ସ୍ୱପ୍ନ ଥିଲା। ଆଜି ପର୍ଯ୍ୟନ୍ତ ନୀତିଶ କୁମାର ବିହାର ବିଧାନ ପରିଷଦ, ବିଧାନସଭା ଏବଂ ଲୋକସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି। କେବଳ ରାଜ୍ୟସଭା ବାକି ରହିଥିଲା। ଏବେ ରାଜ୍ୟସଭାରେ ପ୍ରବେଶ ସହିତ ନୀତିଶ କୁମାରଙ୍କ ସ୍ୱପ୍ନ ପୂରଣ ହୋଇଛି।
