୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ । ୱାର୍ଡ ମେମ୍ବର,ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବିଜ୍ଞପ୍ତିର ଅଭିଯୋଗ ଥିଲେ ଏପ୍ରିଲ ୧୭ ସୁଦ୍ଧା ସେମାନେ ଅଭିଯୋଗ ଆବେଦନ କରିବେ । ଯଦି ଅଭିଯୋଗ ଆସେ ୨୪ ଏପ୍ରିଲ ଭିତରେ ଏହାର ସମାଧାନ ବା ଶୁଣାଣି କରାଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଯାଏଁ ସଂରକ୍ଷଣ ରହିବ । ମହିଳାଙ୍କ ପାଇଁ ସଂରକ୍ଷଣ ରହିବ ୫୦ ପ୍ରତିଶତ ସିଟ୍ ।୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନାହିଁ ପଞ୍ଚାୟତ କି ବ୍ଲକର ପୁନର୍ଗଠନ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମ ପଞ୍ଚାୟତ ଗୁଡ଼ିକର କୌଣସି ସାଧାରଣ ପୁନର୍ଗଠନ କିମ୍ବା ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ସରକାର ପଂଚାୟତ ପୁନର୍ଗଠନ କି ସୀମା ନିର୍ଦ୍ଧାରଣ ନ କରିବାକୁ ନିଷ୍ପତ୍ତି ନେଇଥିବା ଦର୍ଶାଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ।
