ଆଜି ବିଶ୍ବ ଛେନା ପୋଡ ଦିବସ । ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ , ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି ।ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା । ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ।
୧୯୪୫ ମସିହାରେ ନୟାଗଡ ଦଶପଲ୍ଲାରେ ସୁଦର୍ଶନ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଏକଦା ତାଙ୍କ ହୋଟେଲରେ କିଛି ଛେନା ବଳି ଥିଲା । ତାହା ସକାଳକୁ ଖରାପ ହୋଇଯିବ କଣ କରିବେ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା । ପ୍ରଥମେ ତାହା ଛେନାପୋଡ ପିଠା ହୋଇଥିଲା । ପରେ ପିଠାରୁ ମିଠା ପାଲଟିଥିଲା ଛେନାପୋଡ । କମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା । ନୟାଗଡରୁ ବିଭିନ୍ନ ଜିଲ୍ଲାକୁ ଛେନାପୋଡ ପଠାଯାଇଥିଲା । ପରେ ଅନ୍ୟ ଜିଲ୍ଲାରେ ଏହା ବିକ୍ରି ହୋଇଥିଲା । ସେହିପରି ଛେନାପୋଡ଼ ଦିବସ ଅବସରରେ ଭୁବନେଶ୍ବର ରାମ ମନ୍ଦିର ଛକରୁ ଲୋୟର ପିଏମଜି ଯାଏ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ବାଦ ବିବାଦ ଭୁଲି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ ହାସଲ କରିବା। ଶୋଭାଯାତ୍ରାରେ ନୟାଗଡ଼ ଜିଲ୍ଲାର ଛେନାପୋଡ଼ ପ୍ରେମୀ ଯୋଗ ଦେଇଛନ୍ତି।
