ରିଜର୍ଭ ବ୍ୟାଙ୍କର ନୂଆ ପ୍ରସ୍ତାବ, ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ବିଳମ୍ବ ହେବ ଘଣ୍ଟାଏ

ଏଣିକି ୟୁପିଆଇରେ ୧୦ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ଘଣ୍ଟାଏ ବିଳମ୍ବ ହେବ।ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର ୟୁପିଆଇ କାରବାର ଉପରେ କଟକଣା ଲଗାଇବା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ‌ପେମେଣ୍ଟ୍‌ କରିବା ମାତ୍ରେ ପଠାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟିଯିବ, କିନ୍ତୁ ତାହା ପାଇବାକୁ ଥିବା ବ୍ୟକ୍ତିଙ୍କ ଖାତାରେ ଜମା ହେବ ନାହିଁ। ତାହା ଅଲଗା ରହିବ। ଯଦି ପଠାଇଥିବା ବ୍ୟକ୍ତିଙ୍କୁ ଲାଗିବ ଯେ ସେ ଭୁଲରେ ଟଙ୍କା ପଠାଇ ଦେଇଛନ୍ତି, ତେବେ ଉକ୍ତ ସମୟ ସୀମା ଭିତରେ ସେ ସେହି କାରବାରକୁ ବାତିଲ କରିପାରିବେ। ଫଳରେ ତାଙ୍କ ଖାତାକୁ ସେହି ଟଙ୍କା ଫେରିଆସିବ। ବିଳମ୍ବ ସମୟ ଭିତରେ କାରବାରଟି ସ୍ବାଭାବିକ ଲାଗୁଛି ନା ନାହିଁ, ତାହାକୁ ବ୍ୟାଙ୍କଗୁଡ଼ିକ ଯାଞ୍ଚ କରିପାରିବେ। ‌କିଛି ଅସ୍ବାଭାବିକ ମନେ ହେଲେ ବ୍ୟାଙ୍କ ସେହି କାରବାରର ପ୍ରକ୍ରିୟାକରଣକୁ ଅଟକାଇପାରିବେ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୪୫ ପ୍ରତିଶତ ଡିଜିଟାଲ ଠକେଇ ୧୦ହଜାର ଟଙ୍କାରୁ ଅଧିକ ବର୍ଗରେ ହୋଇଛି ଓ ୯୮.୫ ପ୍ରତିଶତ ମାମଲାରେ ଟଙ୍କା ଆଉ ଫେରିନାହିଁ। ସେଥିପାଇଁ ଏହା ମୋଟା ଅଙ୍କର କାରବାରରେ ଠକେଇ ଆଶଙ୍କା ଅଧିକ ରହୁଥିବା ଭାବୁଛି। ୭୦ ବର୍ଷରୁ ଅଧିକ ବର୍ଷର ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ରିଜର୍ଭ ବ୍ୟାଙ୍କ ଭାବୁଛି। ବିଶେଷ କରି ସେମାନେ କରୁଥିବା ୫୦ ହଜାର ଟଙ୍କାରୁ ଅଧିକ କାରବାର ଉପରେ ଜଣେ ‘ବିଶ୍ବସ୍ତ ବ୍ୟକ୍ତି’ଙ୍କ ଅନୁମୋଦନ ପ୍ରକ୍ରିୟା ଯୋଡ଼ିବା ଉପରେ ବିଚାର କରାଯାଉଛି।

ଅଧିକ ପଢନ୍ତୁ