ଗାଈ କ୍ଷୀର ପିଇ ଭୟଭୀତ ଲୋକେ। ଇଞ୍ଜେକ୍ସନ ନେବା ପାଇଁ ଚିକିତ୍ସାଳୟରେ ଲାଗିଛି ଲମ୍ବା ଲାଇନ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ। ସୂଚନାଯୋଗ୍ୟ ଯେ, ଉମରକୋଟ ସହରର ୧୨ ନମ୍ବର ୱାର୍ଡର ଅଶ୍ରୁ ରାୟ ଲୋକଙ୍କୁ ଗାଈ କ୍ଷୀର ବିକ୍ରି କରନ୍ତି l କିଛି ଦିନ ପୂର୍ବରୁ ତାଙ୍କର ଗୋଟିଏ ଗାଈ ପ୍ରଥମ କରି ବାଛୁରୀ ଜନ୍ମ ଦେଇଥିବାରୁ ମାଲିକ ଶ୍ରଦ୍ଧାରେ ୱାର୍ଡର ଅନେକ ଘରେ କ୍ଷୀର ବାଣ୍ଟିଥିଲେ । କିଛି ପରିବାର ମଧ୍ୟ ପ୍ରତିଦିନ ତାଙ୍କ ଠାରୁ କ୍ଷୀର ନେଉଥିଲେ । ସେହି କ୍ଷୀରକୁ ୱାର୍ଡର ପ୍ରାୟ ୧୫ ଜଣ ଛୋଟ ଛୁଆ ସହ ୨୦ ଜଣ ବୟସ୍କ ଲୋକେ ପିଇଥିଲେ lତେବେ କିଛି ଦିନ ପୂର୍ବରୁ ଗାଈଟିର ଅସ୍ବାଭାବିକ ଲକ୍ଷଣ ଦେଖା ଦେଇଥିଲା l ଯାହା ଜାଣିପାରି ଗାଈ ମାଲିକ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କଲା ପରେ ଜଣା ପଡିଥିଲା ଯେ ସେହି ଗାଈକୁ କୌଣସି ଏକ ପାଗଳ କୁକୁର କାମୁଡିଛି l କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ହଠାତ ସେହି ଗାଈଟିର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।କୁକୁର କାମୁଡ଼ା ଗାଈର କ୍ଷୀର ପିଇଥିବାରୁ କୌଣସି ଅଘଟଣ ଘଟିବା ଭୟରେ ଲୋକେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇଞ୍ଜେକ୍ସନ ନେବା ପାଇଁ ଭିଡ଼ ଜମାଇଥିଲେ। ଭୟ ଏତେ ଯେ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଇଞ୍ଜେକ୍ସନ ନେବା ପାଇଁ ଲାଇନ ଲଗାଇଥିଲେ । ସେମାନେ ଇଞ୍ଜେକ୍ସନ ନେଇ ସାରିଲେଣି ଏବଂ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା କେହି ଗୁରୁତର ନଥିଲେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ନେଇଥିଲେ ।
