ଆଜିଠାରୁ ଭିତର ରତ୍ନଭଣ୍ଡାର ଗଣତି ମଣତି

ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ।କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି ମଣତି । ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ସଂପନ୍ନ ହେବ, ସେଥିପାଇଁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯାଇଛି । ଗଣତି ମଣତି ସମୟରେ ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କ୍ରିନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ । ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲଗ୍ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ଯଦି କେବେ ଗଣତିମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ ।୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରରେ ସମୁଦାୟ ୩୬୭ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଏଥିମଧ୍ୟରେ ମସ୍ତକ ମୁକୁଟ, କୁଣ୍ଡଳ, ନାକଚଣା, ହାର, ବାଜୁବନ୍ଧ, ମୁଦି, ପୟର ଭଳି ବିଭିନ୍ନ ଅଳଙ୍କାର ଅଛି । ଭିତର ଭଣ୍ଡାରରେ ଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାରର ଓଜନ ସମୁଦାୟ ୪,୩୬୪ ଭରି । ସେହିଭଳି ୨୩୧ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ୧୪,୮୭୮ ଭରି । ସୋମବାର ଭିତର ରତ୍ନଭଣ୍ଡାର ଗଣତି ବେଳେ ଏହି ତାଲିକାକୁ ମେଳକ କରାଯିବ ।ସୂଚନାଯୋଗ୍ୟ, ଦ୍ଵିତୀୟ ପର୍ଯ୍ୟାୟର ୪ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଥିଲା । ସମସ୍ତ ସେବାୟତଙ୍କ ସହଯୋଗରେ ଏହା ସଂପୂର୍ଣ୍ଣ ହୋଇଥିଲା । ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହେବ ବୋଲି କୁହାଯାଇଥିଲା ।

ଅଧିକ ପଢନ୍ତୁ