ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ୍ । ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ ଘରୋଇ କଲେଜରେ ରେଡ୍ । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ଚାଲିଛି ରେଡ୍ । ଏହି ସ୍କାମ ସହ ସମ୍ପୃକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ ସହିତ ୧୭ଜଣ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ୧୫ଲକ୍ଷ ଟଙ୍କା ନେଇ ପରୀକ୍ଷାର୍ଥୀ ମାନଙ୍କର ରୋଲ ନମ୍ବରକୁ ପୁନଃ ସମୟ ନିର୍ଦ୍ଧାରଣ ଅର୍ଥାତ ରିସିଡ୍ୟୁଲ କରାଯାଇ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ ଏହି ସେଣ୍ଟରକୁ ପରୀକ୍ଷା ଦେବାକୁ ଆଣାଯାଉଥିଲା । ପୂର୍ବରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା ବେଳେ ସେଥିରୁ ସମଗ୍ର ଘଟଣାର ଗୁପ୍ତ ତଥ୍ୟ ବାହାରକୁ ଆସିଥିଲା । ସୂଚନା ଅନୁଯାୟୀ, ଟେକ୍ନୋ ସ୍କୁଲ ପରୀକ୍ଷା କେନ୍ଦ୍ରରେ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ବିଶେଷ ବ୍ୟବସ୍ଥା ହୋଇଥିଲା । ବର୍ତ୍ତମାନ ସିବିଆଇ ଟିମ୍ ସ୍କୁଲର ସମସ୍ତ ରେଜିଷ୍ଟର ଓ ଜରୁରୀ କାଗଜପତ୍ରକୁ ତନତନ କରି ଯାଞ୍ଚ କରୁଛି । ଏହା ମଧ୍ୟରେ ୨୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଜେରା ସରିଛି । ତେବେ ଜେରା ବେଳେ ଏହି ଘରୋଇ କଲେଜ ସମ୍ପର୍କରେ ତଥ୍ୟ ମିଳିବା ପରେ ରେଡକୁ ବ୍ୟାପକ କରିଛି ସିବିଆଇ ।
