ପାରାଦୀପ ବନ୍ଦରରେ ଆସି ଲାଗିଲା ତୈଳ ଟ୍ୟାଙ୍କର ଜାହାଜ ଜୟା

ଯୁଦ୍ଧ ସମୟରେ ଇରାନରୁ ଅଶୋଧିତ ତୈଳ ବୋଝେଇ କରି ପାରାଦୀପ ବନ୍ଦରରେ ଲାଗିଲା ପ୍ରଥମ ସରକାରୀ ତୈଳ ଟ୍ୟାଙ୍କର ଜାହାଜ ଜୟା । ତୈଳ ଟ୍ୟାଙ୍କର ଜାହାଜ ଜୟା ଇରାନରୁ ତେଲ ବୋଝେଇ କରି ପାରାଦୀପ ବନ୍ଦରରେ ଲାଗିଛି । ସେହିପରି ଆଉ ଏକ ତୈଳ ଟ୍ୟାଙ୍କର ଜାହାଜ ଗୁଜୁରାଟର ଶିକ୍କା ବନ୍ଦରରେ ଲାଗିଥିବା ସୂଚନା ମିଳିଛି ।ଆମେରିକାର କଟକଣା ଛାଡ଼ ସମୟରେ ଇରାନ ଜଳପଥରୁ ଆସିଥିବା ଜୟା ତୈଳ ଜାହାଜ ପାରାଦୀପରେ ପହଁଚିଛି । IOCLପାରାଦ୍ୱୀପ ୟୁନିଟର ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ସାମନ୍ତରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଇଣ୍ଡିଆନ ଅଏଲ କର୍ପୋରେସନକୁ ତେଲ ଆଣି ଆସିଥିବା ଏହି ଜାହାଜରେ ଇରାନରୁ ଦୁଇ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆସିଥିବା ସୂଚନା ମିଳିଛି । ଯୁଦ୍ଧ ପରିସ୍ଥିତିରେ ଆମେରିକା ଦ୍ୱାରା ମଞ୍ଜୁରୀପ୍ରାପ୍ତ ତୈଳ ଟ୍ୟାଙ୍କର ଜାହାଜ ମଧ୍ୟରେ ଜୟା ଓ ଫେଲିସିଟି ଅନ୍ୟତମ । ଯାହା ଯୁଦ୍ଧ ସମୟରେ ଇରାନର ମୁଖ୍ୟ ତୈଳ ରପ୍ତାନି ସୁବିଧା ରହିଥିବା ଖାର୍ଗ ଦ୍ବୀପରୁ ଅଶୋଧିତ ତୈଳ ଆଣି ଭାରତୀୟ ବନ୍ଦରରେ ପହଞ୍ଚିଛି । ପ୍ରାୟ ସାତବର୍ଷ ପରେ ପାରଦୀପ ବନ୍ଦରରେ ପହଁଚିଛି ଇରାନୀ ତୈଳ ଟ୍ୟାଙ୍କର ବିଶିଷ୍ଟ କାରଗୋ ଜାହାଜ । ବିଶ୍ୱ ବଜାରରେ ତୈଳ ସଙ୍କଟକୁ ଦୂର କରିବା ସହିତ ତୈଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଯୁଦ୍ଧ କଟକଣାରେ ଏକମାସ ଛାଡ଼ ଯୋଗୁ ପୂର୍ବରୁ ସାମୁଦ୍ରିକ ଜଳପଥରେ ରହିଥିବା ଇରାନୀ ତୈଳ ଜାହାଜ ଗୁଡିକୁ ବିକ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ଆଲୋଚନା ବିଫଳ ହେବା ପରେ ଆମେରିକା ଇରାନର ବନ୍ଦରଗୁଡ଼ିକୁ ଘେରିବା ଆରମ୍ଭ କରିଛି । ଯାହା ଦ୍ୱାରା ଇରାନ ତେଲ ରପ୍ତାନି କରିପାରିବ ନାହିଁ । ଏହି ଉତ୍ତେଜନା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଦର ବଢ଼ିବାରେ ଲାଗିଛି । ଇରାନ ନିଜର ପରମାଣୁ ଶକ୍ତିକୁ ନିଜର ଅଧିକାର ବୋଲି କହୁଥିବା ବେଳେ ଆମେରିକା ଏହାକୁ ବିଶ୍ୱ ପାଇଁ ବିପଦ ବୋଲି ମନେ କରୁଛି । ଯଦି ଏହି ବିବାଦର ସମାଧାନ ଶୀଘ୍ର ନହୁଏ ତେବେ ପୁଣି ଥରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଆସନ୍ତା ଏପ୍ରିଲ ୨୧ ତାରିଖ ଏହି ମାମଲାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ