ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଲାଗିଛି ସତ, କିନ୍ତୁ କେହି କାହାକୁ ମାନିବାକୁ ନାରାଜ । ଏଥିପାଇଁ ପୂରା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି। ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହି ଟେଲିଫୋନ କଥାବାର୍ତ୍ତା 40 ମିନିଟ ଧରି ଚାଲିଥିଲା। ଇରାନ ସହିତ ବିବାଦ ମଧ୍ୟରେ, ଏହା ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, 40 ମିନିଟର ଏହି ଆଲୋଚନା ଭାରତ-ଆମେରିକା ସମ୍ପର୍କ ଉପରେ କେନ୍ଦ୍ରିତ ଥିଲା। ଆଲୋଚନାର ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ କହିଥିଲେ, “ଭାରତର ଲୋକମାନେ ଆପଣଙ୍କୁ ଭଲ ପାଆନ୍ତି।”ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି ଯେ ଦୁଇ ନେତା ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଶାନ୍ତି ପ୍ରକ୍ରିୟାରେ ଭାରତର ଭୂମିକା ମଧ୍ୟ ଆଲୋଚନାର ବିଷୟ ଥିଲା। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।ଆମେରିକା ରାଷ୍ଟ୍ରଦୂତ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନ ଏବଂ ସପ୍ତାହ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ଶକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଆଶା କରାଯାଉଛି।
