ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ବିଜୁ ବାବୁଙ୍କୁ ଆଜି ମନେ ପକାଉଛି ସାରା ଓଡ଼ିଶା । ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ ବୋଲି ନବୀନ କହିଛନ୍ତି ।ଏହି ଅବସରରେ ନବୀନ କହିଛନ୍ତି, ଆଜି ଆମର ପ୍ରିୟ ନେତା ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁ ବାବୁଙ୍କର ସବୁଠାରୁ ବଡ଼ ପରିଚୟ ହେଉଛି ସେ ଜଣେ ମହାନ ଦେଶଭକ୍ତ ଥିଲେ । ତାଙ୍କ ଦେଶଭକ୍ତି, ସାହସ ଓ ସ୍ୱାଭିମାନ ପାଇଁ ସେ ଆଜି ଅମର ରହିଛନ୍ତି ଓ ରହିଥିବେ । ତେବେ ବିଜୁ ଶ୍ରାଦ୍ଧ ଦିବସରେ ପରୋକ୍ଷରେ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି । କୌଣସି ମୁଖା ବେଶୀ ଦିନ ଯାଏଁ ସେମାନଙ୍କର ପାପକୁ ଲୁଚାଇ ପାରିବନି । ଲୋକମାନେ ଜାଣନ୍ତି କିଏ କଣ ବୋଲି ଏଭଳି କିଛି କହିଛନ୍ତି, ନବୀନ ପଟ୍ଟନାୟକ । ଓଡିଶା କ୍ରମାଗତ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି । ଡିଲିମିଟେସନ ବିଲ ରାଜନୈତିକ ପରିଚୟକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଛନ୍ତି । ଓଡିଆ ସ୍ୱାଭିମାନ ଆଜି ବିପଦରେ, ସମସ୍ତଙ୍କୁ ଏକାଠି ଲଢିବାକୁ ପଡିବ । ସଂଯୋଗବଶତଃ ବିଜୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ମହିଳା ସଂରକ୍ଷଣ ବିଲ ଆଲୋଚନା ହେଉଛି । ବିଜେଡି ମହିଳା ସଶକ୍ତୀକରଣରେ ଦୃଢ ବିଶ୍ୱାସ କରେ । ମହିଳା ସଂରକ୍ଷଣ ବିଲ ପ୍ରତି ବିଜେଡି ସମର୍ଥନ ଜଣାଇବ ବୋଲି କହିଛନ୍ତି ନବୀନ ।
