ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାରର ଉପଲବ୍ଧତା ସମ୍ପର୍କରେ ଉପସ୍ଥାପନା ରଖି କହିଥିଲେ ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ସାର ପାଇଁ ୧୧,୪୨,୯୫୦ ମେଟ୍ରିକ ଟନର ସାର ଯୋଗାଇଦେବେ। ଏପ୍ରିଲ ମାସ ପାଇଁ ୭୯,୬୩୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ, ଏପ୍ରିଲ ୧୫ ସୁଦ୍ଧା ୩,୬୧,୪୯୦ ମେଟ୍ରିକ ଟନ ସାର ଉପଲବ୍ଧ ଅଛି। ରାଜ୍ୟରେ ସାର ହୋଲସେଲର ବିକ୍ରେତା ମାନଙ୍କ ସଂଖ୍ୟା ୧୦୨୯ ଥିବାବେଳେ ଖୁଚୁରା ବିକ୍ରେତାଙ୍କ ସଂଖ୍ୟା ୧୨,୦୯୩ ଅଛି। ବିଭିନ୍ନ ସାର ଯୋଗାଣ କମ୍ପାନୀଙ୍କ ପକ୍ଷରୁ ସାର ଯୋଗାଣ ମଧ୍ୟ ଠିକ୍ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଡିଲର ପଏଣ୍ଟ ଯାଞ୍ଚ କରାଯାଇ ୬ଟି ଲାଇସେନ୍ସ ବାତିଲ୍ କରାଯାଇଛି। ବୈଠକରେ ସୂଚନା ଦିଆଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ (IFMS) ଆରମ୍ଭ କରାଯାଇଛି। ଏଥିରେ ପ୍ରତ୍ୟେକ ଜିଲ୍ଲାର ଦୈନିକ ସାର ଉପଲବ୍ଧତା ଓ ଆବଣ୍ଟନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଓ ୬୦ ହଜାର ମେଟ୍ରିକ ଟନରୁ ଅଧିକ DAP ସାର ମହଜୁଦ ଅଛି। ତେବେ ପରିସଂଖ୍ୟାନରେ ସୀମିତ ନରହି ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଛୋଟ ଚାଷୀ ହେଉ ବା ନାମମାତ୍ର, ବର୍ତ୍ତମାନ ସମୟରେ ପ୍ରତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁରୂପ ସାର ପାଇବ ତାହାକୁ ଜିଲ୍ଲାପାଳ ମାନେ ସୁନିଶ୍ଚିତ କରନ୍ତୁ।
