ପୁରୀ ବିମାନବନ୍ଦରର କାମ ଷ୍ଟେଜ-୧ ସ୍ଥିତିରେ ଅଛି। ସବୁ କ୍ଷେତ୍ରର ଲୋକଙ୍କ ସହ ପରାମର୍ଶ ନିଆଯାଇ କାମ ହେବ। ଯଦି world life institute of india ଏହାକୁ ବିରୋଧ କରୁଛି, ତେବେ ଏଥିରେ ସମସ୍ତଙ୍କର ମତ ନିଆଯାଇ କାମ କରାଯିବ। ଏହାକୁ ନେଇ କମିଟି ଗଠନ କରାଯିବ। ସେ କମିଟିର ବିଚାରକୁ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ସୂଚନାମୁତାବକ ପୁରୀ ଜଙ୍ଗଲ ବିଭାଗ ଅଧୀନରେ ଥିବା ପ୍ରାୟ ୨୭.୮୮୭ ହେକ୍ଟର ଜଙ୍ଗଲ ଜମିକୁ ବିମାନବନ୍ଦର କାର୍ଯ୍ୟ ପାଇଁ ବ୍ୟବହାର କରାଯିବ।
ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର କିଛି ବର୍ଷ ତଳେ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ଧରି ଏଠାରେ ନିର୍ମାଣ ହେବା କିମ୍ବା ନହେବା ନେଇ ରାଜନୀତି ଜୋର ଧରିଥିଲା । ଏହାପରେ ରାଜ୍ୟରେ ସରକାର ପରିବର୍ତ୍ତନ ହେଲା, ନୂଆ ସରକାର କ୍ଷମତାକୁ ଆସିଲେ । ନୂଆ ସରକାର ପୁରୀରେ ବିମାନବନ୍ଦର ନିର୍ମାଣ କରିବା ସପକ୍ଷରେ ମଧ୍ୟ କାମ ଆରମ୍ଭ କରିଥିଲେ। ୨୦୨୫ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀରେ ବିମାନବନ୍ଦର ନିର୍ମାଣ କରିବାକୁ ଗ୍ରୀନ୍ ସିଗ୍ନାଲ ଦେଇଥିଲେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୀତିଗତ ଅନୁମୋଦନ ପ୍ରଦାନ କରିଥିଲେ। ଯାହାଫଳରେ ବିମାନବନ୍ଦର ନିର୍ମାଣ ପାଇଁ ବାଟ ଫିଟିଥିଲା। ଆଉ ଏବେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।
