ସ୍ୱାମୀ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳର ଏକ ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।ପରକିୟା ପ୍ରୀତି ସନ୍ଦେହରୁ ସ୍ବାମୀ ନିଜ ସ୍ତ୍ରୀ ଉପରେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଯୋଗୁଁ କିଛିମାସ ହେବ ସେମାନେ ଅଲଗା ରହୁଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି ।
ଆହତ ମହିଳା ଜଣକ ଭୁବନେଶ୍ବରର ପଟିଆ ଅଞ୍ଚଳର ବାସିନ୍ଦା । ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡିଛି । ଆହତ ମହିଳାଙ୍କ ମୁହଁ ସମେତ ଶରୀରର ଅନ୍ୟାନ୍ୟ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି ।ପୋଲିସ ସୂଚନା ଅନୁଯାୟୀ, କିଛିବର୍ଷ ତଳେ ଆହତ ମହିଳା ଓ ଅଭିଯୁକ୍ତଙ୍କର ବିବାହ ହୋଇଥିଲା । ଉଭୟଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ କାରଣରୁ ଉଭୟ କିଛିମାସ ହେବ ଅଲଗା ରହୁଥିଲେ । ଭୁବନେଶ୍ବରର ପଟିଆ ଅଞ୍ଚଳରେ ଅଭିଯୁକ୍ତ ଜଣକ ନିଜ 2 ସନ୍ତାନଙ୍କ ସହିତ ରହୁଥିଲା । ଅନ୍ୟପଟେ ଅନ୍ୟ ଏକ ସ୍ଥାନରେ ମହିଳାଜଣକ ଏକା ରହୁଥିଲେ । ଗତକାଲି ଅଭିଯୁକ୍ତ ସ୍ବାମୀ ସ୍ତ୍ରୀ ରହୁଥିବା ସ୍ଥାନକୁ ଆସିଥିଲେ । ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । କିଛି ସମୟ ପରେ ଅଭିଯୁକ୍ତ ଜଣକ ମହିଳାଙ୍କ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ।
