
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏ-୧ ଏବଂ ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରୀ ବୈଭବି ଦିବ୍ୟଦର୍ଶନୀ ମୋଟ ୫୪୪ ନମ୍ବର (୯୦.୬୬%) ରଖି ଏ-୧ ଗ୍ରେଡରେ ପାସ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିଛି। ସେହିପରି ଏ-୨ ଗ୍ରେଡରେ ସଫଳତା ପାଇଥିବା ତିନିଜଣ ଛାତ୍ରୀ ସ୍ଥିତ ପ୍ରଜ୍ଞା ସାହୁ (୫୧୬ ନମ୍ବର), ଶୁଭଲକ୍ଷ୍ମୀ ପ୍ରଧାନ (୫୧୩ ନମ୍ବର) ଏବଂ ଧ୍ରିତି ମଧୁଲିକା (୫୧୧ ନମ୍ବର)ଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭବିଷ୍ୟତରେ ଅଧିକ କଠିନ ପରିଶ୍ରମ କରି ସମାଜ ଓ ଜାତି ପାଇଁ ସୁନାମ ଅର୍ଜନ କରିବାକୁ ସେ ପରାମର୍ଶ ଦେବା ସହ କୃତୀ ଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ସାଧୁବାଦ ଜଣାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀବାନି ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
