ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଗୃହ ବିଭାଗର ବିଫଳତା ସମ୍ପୂର୍ଣ୍ଣ ପଦାରେ ପଡିଛି କହି ବିଜେପି ସରକାରକୁ କଡା ସମାଲୋଚନା କରିଛି ବିଜେଡି ।ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ।ଡ. ମହାନ୍ତି କହିଛନ୍ତି ଯେ, ଆଜିର ଦିନରେ ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଧ୍ୱଂସ ହୋଇଯାଇଛି । ଡବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଯୋଗୁଁ ଗତ ୧ ସପ୍ତାହ ମଧ୍ୟରେ ଢେଙ୍କାନାଳ, ହିଞ୍ଜିଳି, କଣାସ, ବାଲିଅନ୍ତା, ବାଲିପାଟଣାରେ ଜଘନ୍ୟ ଘଟଣା ଘଟିଛି । ସରକାରୀ ସ୍ତରରେ ନିଷ୍କି୍ରୟତା ଯୋଗୁଁ ରାଜ୍ୟରେ ପୋଲିସ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ପୋଲିସ ଷ୍ଟେସନ ଗୁଡିକ ବିଜେପିର କାର୍ଯ୍ୟାଳୟ ପାଲଟିଛି ।
