ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22, E25, E27, ଏବଂ E30 ଇନ୍ଧନ ମିଶ୍ରଣ ପାଇଁ ବୈଷୟିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଏହାର ଅର୍ଥ ହେଉଛି, ଆଗାମୀ ଦିନରେ ପେଟ୍ରୋଲରେ ଯଥାକ୍ରମେ ୨୨%, ୨୫%, ୨୭% ଏବଂ ୩୦% ପର୍ଯ୍ୟନ୍ତ ଇଥାନଲ୍ ମିଶ୍ରଣ କରାଯାଇପାରେ ।ସରକାରଙ୍କ ଏହି ପଦକ୍ଷେପରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ଭାରତ ଏବେ ବିଦେଶୀ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଉପରେ ନିଜର ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚାହୁଁଛି। ବର୍ତ୍ତମାନ ପଶ୍ଚିମ ଏସିଆରେ ଦେଖାଦେଇଥିବା ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦରରେ କ୍ରମାଗତ ଅସ୍ଥିରତା ଯୋଗୁଁ ଦେଶର ଶକ୍ତି ସୁରକ୍ଷା (Energy Security) ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ଏକ ଦୀର୍ଘକାଳୀନ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି।୧୮ ମଇରେ ଜାରି ଏକ ବିଜ୍ଞପ୍ତିରେ, ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (BIS) ଏହି ନୂତନ ଇନ୍ଧନ ମିଶ୍ରଣ ପାଇଁ ମାନକ ପ୍ରକାଶ କରିଛି। ଏହି ନୂତନ ନିୟମ ୧୫ ମଇ, ୨୦୨୬ ରେ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ, E୨୦ ଇନ୍ଧନ ମିଶ୍ରଣ ଯେଉଁଥିରେ ପେଟ୍ରୋଲ ସହିତ ୨0 ପ୍ରତିଶତ ଇଥାନଲ ମିଶ୍ରଣ ଅନ୍ତର୍ଭୁକ୍ତ ସାରା ଦେଶରେ ପ୍ରଚଳନ କରାଯାଉଛି।
