ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳର ଆକାଶଛୁଆଁ ମୂଲ୍ୟ ହଠାତ୍ ସ୍ଥଗିତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ସମ୍ଭାବ୍ୟ ସାମରିକ ଆକ୍ରମଣକୁ ସ୍ଥଗିତ ରଖିବା କିମ୍ବା ରୋକିବା ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୨% ରୁ ଅଧିକ ହ୍ରାସ ପାଇଛି।ଯଦି ଆମେରିକା ଏବଂ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ଅଗ୍ରଗତି କରେ, ତେବେ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ (OPEC+) ରୁ ଯୋଗାଣ ସ୍ଥିର ରହିବାର ସମ୍ଭାବନା ଅଛି, ଯାହା ଦାରା ମୂଲ୍ୟ ପ୍ରତି ବ୍ୟାରେଲ $80-$85 ମଧ୍ୟରେ ଫେରି ଆସିପାରେ। ଯଦି ବିଶ୍ୱ ଶିଳ୍ପ ଚାହିଦା ମନ୍ଥର ରହେ, ତେବେ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇପାରେ। ଅନ୍ୟପଟେ ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ୧୭ ତାରିଖରେ କିମ୍ୱା ପୂର୍ୱରୁ ସମୁଦ୍ରରେ ଫସି ରହିଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
