ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ କମ୍ପାନି ”ମେଟା” ପକ୍ଷରୁ ପୁଣି ଥରେ ବଡ଼ ଧରଣର କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନୂତନ ପଦକ୍ଷେପ ଦ୍ୱାରା କମ୍ପାନିର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୮,୦୦୦ କର୍ମଚାରୀ ପ୍ରଭାବିତ ହେବେ ।କମ୍ପାନୀ ପକ୍ଷରୁ ପ୍ରାୟ ୬,୦୦୦ ନୂତନ ନିଯୁକ୍ତି ପଦବୀକୁ ମଧ୍ୟ ବନ୍ଦ କରିଦିଆଯାଇଛି । ବିଶେଷ କରି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟ ଟିମ୍ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି। ମେଟାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଜାନେଲ ଗେଲଙ୍କ ଏକ ଆଭ୍ୟନ୍ତରୀଣ ସୂଚନା ଅନୁଯାୟୀ, କମ୍ପାନି ଏକ ଛୋଟ ଏବଂ ଅଧିକ ପ୍ରଭାବଶାଳୀ ”ଫ୍ଲାଟର ଷ୍ଟ୍ରକଚର” ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଚାକିରି କାଟିବା ସହ କମ୍ପାନି ପ୍ରାୟ ୭,୦୦୦ କର୍ମଚାରୀଙ୍କୁ ନୂତନ ”ଏଆଇ-ନେଟିଭ୍” ଟିମରେ ସାମିଲ କରିବାକୁ ଯାଉଛି। ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ ମେଟା ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ୧୨୫ ବିଲିୟନରୁ ୧୪୫ ବିଲିୟନ ଡଲାର (ପ୍ରାୟ ୧୦ରୁ ୧୨ ଲକ୍ଷ କୋଟି ଟଙ୍କା) ବିନିଯୋଗ କରିବାକୁ ଯୋଜନା କରୁଛି।
