ଟେଟ୍ରା ପ୍ୟାକ୍ ଏବଂ ସାଚେଟ୍ ଭଳି ଅସ୍ପଷ୍ଟ ପ୍ୟାକେଜ୍ ରେ ମଦ ବିକ୍ରୟ ଉପରେ ନିଷେଧ ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି । କହିଛନ୍ତି ଯେ ଏପରି ପ୍ୟାକେଜିଂ ଗ୍ରାହକମାନଙ୍କୁ ଭ୍ରମିତ କରିପାରେ ଏବଂ ନାବାଳକମାନଙ୍କୁ ମଦ୍ୟପାନ କରିବାକୁ ଉତ୍ସାହିତ କରିପାରେ।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟର ଅବକାରୀ ବିଭାଗକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।ଏହି ଟେଟ୍ରା ପ୍ୟାକ୍ ଗୁଡ଼ିକୁ ସ୍କୁଲ୍ ବା କଲେଜ ପିଲାମାନେ ସହଜରେ ବ୍ୟାଗରେ ପୂରାଇ ନେଇପାରୁଛନ୍ତି । ବାପାମାଆ ବା ଶିକ୍ଷକ ଏହାକୁ ଜୁସ୍ ଭାବି ଭ୍ରମରେ ପଡ଼ୁଛନ୍ତି । ହାଲୁକା ଏବଂ ସହଜରେ ଲୁଚାଯାଇପାରୁଥିବାରୁ ପାର୍କ, ଗାଡ଼ି, ସିନେମା ହଲ୍ ଏବଂ ଶିକ୍ଷାନୁଷ୍ଠାନ ଆଖପାଖରେ ଏହାର ବ୍ୟବହାର ବଢୁଛି । ଏହି ପ୍ୟାକେଟ୍ ଗୁଡ଼ିକ ହାଲୁକା ଏବଂ ଭାଙ୍ଗିବାର ଭୟ ନଥିବାରୁ ରାଜ୍ୟ ସୀମା ପାର୍ କରାଇ ଚୋରା ଚାଲାଣ କରିବା ସହଜ ହେଉଛି । ତମାଖୁ ଜାତୀୟ ଦ୍ରବ୍ୟ ଭଳି ଏହି ମଦ ପ୍ୟାକେଟ୍ ଗୁଡ଼ିକରେ କୌଣସି ସ୍ପଷ୍ଟ ବା ବଡ଼ ସ୍ୱାସ୍ଥ୍ୟ ଚେତାବନୀ ରହୁନାହିଁ । କମ୍ ଉତ୍ପାଦନ ଖର୍ଚ୍ଚ ଯୋଗୁଁ ମଦ ଶସ୍ତା ହେଉଛି, ଯାହା ନାବାଳକ ଓ କମର୍ସିଆଲ୍ ଡ୍ରାଇଭରମାନଙ୍କୁ ଆକୃଷ୍ଟ କରୁଛି ।ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇ ଓକିଲ ବିପିନ ନାୟାର କହିଛନ୍ତି ଯେ ଏପରି ଅନେକ ମଦ୍ୟପାନ ଉତ୍ପାଦରେ ପ୍ରମୁଖ ଚେତାବନୀ ନାହିଁ ଏବଂ ଫଳ ରସ ଭଳି ପ୍ୟାକେଜିଂ କରାଯାଉଛି।ତମାଖୁ ପରି ଏଥିରେ କୌଣସି ସତର୍କତାମୂଳକ ଚେତାବନୀ ନାହିଁ। ଏହି ପ୍ୟାକଗୁଡ଼ିକ ଫଳ ରସ ପରି ଦେଖାଯାଉଛି କିନ୍ତୁ ଏଥିରେ ଭୋଡକା ହିଁ ଥାଏ । ଏହି ପ୍ୟାକରେ ସେଓର ଫଟୋ ଏବଂ ଚିଲି ଆମ୍ବ ଭୋଡକା ଭଳି ଲେବଲ୍ ରହୁଛି,” ନାୟାର କୋର୍ଟକୁ ଜଣାଇଥିଲେ।
ଆବେଦନକାରୀ ତାଙ୍କ ଆବେଦନରେ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ଏପରି ପ୍ୟାକେଜିଂରେ ମଦ ବିକ୍ରୟକୁ ନିଷେଧ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ସମାନ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ। ଅବକାରୀ ଆଇନରେ ସଂଶୋଧନ କରାଯାଇ ମଦ ବିକ୍ରି କେବଳ କାଚ ବୋତଲ କିମ୍ବା ସ୍ପଷ୍ଟ ଭାବେ ବାରି ହେଉଥିବା ନିର୍ଦ୍ଦିଷ୍ଟ ପାତ୍ରରେ ହିଁ ସୀମିତ ରଖାଯାଉ । ପୂର୍ବରୁ ମଧ୍ୟ କୋର୍ଟ ଜେରାର ସମ୍ମୁଖୀନ ହୋଇଥିଲେ ସରକାର । କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାରଙ୍କ ଜବାବ ଆସିବା ପରେ କୋର୍ଟ ଏହି ଦିଗରେ କୌଣସି ବଡ଼ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆଶା କରାଯାଉଛି ।
